ବୌଦ୍ଧ: ଓ୍ବାର୍ଡରଙ୍କୁ ଆକ୍ରମଣ ଘଟଣାରେ ତଦନ୍ତ ଆରମ୍ଭ କଲା ବୌଦ୍ଧ ପୋଲିସ । କାହିଁକି ଘଟିଲା ଏଭଳି ଅଭାବନୀୟ ଘଟଣା ? ଏଥିପାଇଁ ଦାୟୀ କିଏ ? ଏବେ ଏସବୁର ତଦନ୍ତ କରୁଛି ବୌଦ୍ଧ ପୋଲିସ ।
ସୂଚନା ଅନୁଯାୟୀ, ଗତ ଗୁରୁବାର ବୌଦ୍ଧ ସ୍ବତନ୍ତ୍ର ଉପ କାରାଗାରରେ ଚାରିଜଣ କଏଦୀ ଓ ଅନ୍ୟ ଦଶ ଜଣ ବିଚାରାଧୀନ କଏଦୀ ମିଳିତ ଭାବେ ଦୁଇ ଜଣ ଓ୍ବାର୍ଡରଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ କରିଥିଲେ । ଘଟଣା ପଛରେ ଭିନ୍ନ ଭିନ୍ନ କାରଣ ସୂଚନା ମିଳୁଥିବା ବେଳେ ଘରେ ନପଶୁଣୁ ଚାଳ ବାଜିବା ଭଳି ନୂତନ ଜେଲର ଓ ଓ୍ବାର୍ଡରଙ୍କ ଯୋଗଦାନର ଦିନ୧୫ ଟା ନପୁରୁଣୁ ଏଭଳି ଘଟଣା ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି ।
ଘଟଣା ସମ୍ପର୍କରେ ଓ୍ବାର୍ଡରଙ୍କ ପକ୍ଷରୁ ବୌଦ୍ଧ ଥାନାରେ କଏଦୀଙ୍କ ନାମରେ ଏତଲା ଦିଆଯାଇଥିବା ବେଳେ ଶୁକ୍ରବାର ପ୍ରାୟ ଦୁଇ ଶହରୁ ଉର୍ଦ୍ଧ୍ବ କଏଦୀ ଦୀର୍ଘ ସମୟ ଧରି ଜେଲ ଭିତରେ ଅନଶନ କରିଥିଲେ । ଖବର ପାଇ ବୌଦ୍ଧ ମାନ୍ୟବର ଜିଲ୍ଲା ଜଜ, ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର, ଉପଜିଲ୍ଲାପାଳ ଏନସି ଜ୍ୟୋତି ରଂଜନ ନାୟକ, ଏସଡିପିଓ ସାଲେଷ୍ଟିନ ଟିଗା, ଥାନା ଅଧିକାରୀ ତପସ୍ବିନୀ କହଁର ପ୍ରମୁଖ ଜେଲ ଅନ୍ତେବାସୀଙ୍କୁ ଭେଟିବା ସହ ଆଲୋଚନା କରିଥିଲେ ।
ଏପଟେ ବୌଦ୍ଧ ଜେଲରେ ପ୍ରଥମ ଥର ଏଭଳି ଘଟଣା ଘଟିଥିବାରୁ ଓ୍ବାର୍ଡରଙ୍କ ଭବିଷ୍ୟତ ଅସୁରକ୍ଷିତ ହେବା ସହ ଏହାର ଉଚ୍ଚସ୍ତରୀୟ ତଦନ୍ତ ହେବା ଦରକାର ବୋଲି ଆଲୋଚନା ହେଉଛି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ