ବୌଦ୍ଧ: ଲଗାଣ ବର୍ଷାରେ ବେହାଲ ବୌଦ୍ଧ ଜିଲ୍ଲା । ଜିଲ୍ଲାର ବିଭିନ୍ନ ସ୍ଥାନରେ ବର୍ଷା ପାଣି ଯୋଗୁଁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଜିଲ୍ଲାର ବିରିଗଡ, ବେନ୍ଦିରିପାଲି, ବାଉଁଶୁଣୀ ଓ ହରଭଙ୍ଗା ବ୍ଲକର କେତେକ ଗାଁରେ ବର୍ଷା ପାଣି ଗାଁ ଭିତରେ ପଶି ଯାଇଥିବା ସୂଚନା ମିଳିଛି ।
ସେହିପରି କମିରା ନିକଟସ୍ଥ ଜାମୁନାଳ ସେତୁ ଓ ରକ୍ସା ପଞ୍ଚାୟତର ଗହିରାମୁଣ୍ଡା ନାଳ ଉପରେ ବନ୍ୟା ପାଣି ପ୍ରବାହିତ ଯୋଗୁଁ ଯାତାୟାତରେ ବ୍ୟାଘାତ ସୃଷ୍ଟି ହୋଇଛି । ସେପଟେ ହରଭଙ୍ଗା ବ୍ଲକର ଉପାନ୍ତ ଗ୍ରାମ ଗେରେଡି ସାହିରେ ଘର କାନ୍ଥ ପଡି ଜଣେ 4 ବର୍ଷର ଶିଶୁ ଗୁରୁତର ହେବା ଘଟଣା ଏବେ ସମସ୍ତଙ୍କୁ ଦୁଃଖିତ କରିଛି । ଗୁରୁତର ଶିଶୁକୁ ପ୍ରଥମେ ପୁରୁଣାକଟକ ଡାକ୍ତରଖାନାରେ ଓ ପରେ ବୌଦ୍ଧ ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସିତ ପରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ଶିଶୁକୁ ବୁର୍ଲା ସ୍ଥାନାନ୍ତର କରାଯାଇଛି ।
ଗାଁକୁ ରାସ୍ତା ନଥିବାରୁ ଦୀର୍ଘ ବାଟ ଜଙ୍ଗଲ ମଧ୍ୟରେ ଚାଲିକି ଆସିବା ପରେ ଗୁରୁତରକୁ ଆମ୍ବୁଲାନ୍ସରେ ଅଣାଯାଇଥିବା ଅଭିଯୋଗ ହୋଇଛି । ଏସବୁ ଉପାନ୍ତ ଅଞ୍ଚଳରେ ଆଜି ପର୍ଯ୍ୟନ୍ତ ସରକାରୀ ଆବାସ ଯୋଜନା ମଧ୍ୟ ଠିକରେ ପହଞ୍ଚି ପାରି ନଥିବାରୁ ଅଧିକାଂଶ ସମୟରେ ଏଭଳି ଅଭାବନୀୟ ଘଟଣା ସମ୍ମୁଖକୁ ଆସୁଛି ।
ବୌଦ୍ଧରୁ ସତ୍ୟନାରାୟଣ ପାଣି, ଇଟିଭି ଭାରତ