ବୌଦ୍ଧ : ଅବ୍ୟବସ୍ଥା ଘେରରେ ଜିଲ୍ଲାର ସମବାୟ ବ୍ୟାଙ୍କ୍ । ଏନେଇ ଚଳିତ ବର୍ଷ ପ୍ରଥମ ଥର ପାଇଁ ଗୋଟିଏ ଆର୍ଥିକ ବର୍ଷରେ ଦ୍ବିତୀୟ ଥର ପାଇଁ ବୈଠକ ଅନୁଷ୍ଠିତ ହୋଇଛି । ବ୍ୟାପକ ଅବ୍ୟବସ୍ଥା ଘେରରେ ଜିଲ୍ଲାର ସମବାୟ ବ୍ୟାଙ୍କ୍ ରହିଥିବାରୁ ଗ୍ରାହକ ଓ ହିତାଧିକାରୀଙ୍କୁ ଠିକରେ ଋଣ ପ୍ରଦାନ କରାଯାଉ ନଥିବା ସମବାୟବିତ୍ ଅଭିଯୋଗ କରିଛନ୍ତି ।
ସୂଚନା ମୁତାବକ, ଗତକାଲି ବୌଦ୍ଧ କନ୍ଧମାଳ ଜିଲ୍ଲା ବିସିସି ବ୍ୟାଙ୍କର ପ୍ରଥମ ଥର ପାଇଁ ଗୋଟିଏ ଆର୍ଥିକ ବର୍ଷରେ ଦ୍ବିତୀୟ ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଥିଲା । ବୌଦ୍ଧ ଟାଉନ୍ ହଲ୍ଠାରେ ସମବାୟ ବ୍ୟାଙ୍କର ସଭାପତିଙ୍କ ଆବାହକତ୍ୱରେ ଏହି ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ବ୍ୟାପକ ବିଶୃଙ୍ଖଳା ପରିଲକ୍ଷିତ ହୋଇଥିଲା । ଉଭୟ ବୌଦ୍ଧ ଓ କନ୍ଧମାଳ ଜିଲ୍ଲାର ସମସ୍ତ ପ୍ୟାକ୍ସ ଓ ଲ୍ୟାମ୍ସର ସଭାପତିମାନେ ଏଥିରେ ଯୋଗ ଦେଇଥିବା ବେଳେ ସମବାୟ ସମିତିର ସଂପାଦକଙ୍କୁ ଆମନ୍ତ୍ରଣ କରାଯାଇ ନ ଥିଲା ।
ତେବେ ଋଣ ପ୍ରଦାନ କ୍ଷେତ୍ରରେ ବୌଦ୍ଧ କୋପରେଟିଭ ବ୍ୟାଙ୍କ ସାରା ରାଜ୍ୟରେ ସର୍ବ ନିମ୍ନରେ ଥିବା ବେଳେ ଜିଲ୍ଲାର ଅଧିକାଂଶ ସମବାୟ ସମିତିର ଅବସ୍ଥା ଅତ୍ୟନ୍ତ ଅବହେଳିତ ହୋଇ ରହିଛି । ଜିଲ୍ଲାର ପ୍ୟାକ୍ସ ଓ ଲ୍ୟାମ୍ସଗୁଡ଼ିକ ବହୁବିଧ ସମସ୍ୟା ଘେରରେ ରହିଥିବାରୁ ଏନେଇ ଗତକାଲି ବୈଠକରେ ସଭ୍ୟମାନେ ଗଭୀର ଅସନ୍ତୋଷ ପ୍ରକାଶ କରିଥିଲେ । ବ୍ୟାଙ୍କ୍ କର୍ତ୍ତୃପକ୍ଷ ସବୁକିଛି ଠିକ୍ଠାକ୍ ଚାଲିଥିବା ସୂଚନା ଦେଇଥିଲେ ମଧ୍ୟ ପରିଚାଳନାଗତ ତୃଟି ପାଇଁ ବ୍ୟାଙ୍କ୍ର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇ ପଡ଼ୁଛି । ଏନେଇ ସମବାୟବିତ୍ ଗଭୀର ଅସନ୍ତୋଷ ପ୍ରକାଶ କରିବା ସହିତ ବ୍ୟାଙ୍କର ପରିଚାଳନାକୁ ଦାୟୀ କରିଥିଲେ । ତେବେ ଏନେଇ ବ୍ୟାଙ୍କର ବହୁବିଧ ସମସ୍ୟାର ସମାଧାନ ପାଇଁ ପ୍ରଚେଷ୍ଟା କରାଯିବ ବୋଲି ବ୍ୟାଙ୍କର ନୂତନ ସଂପାଦକ ସୂଚନା ଦେଇଛନ୍ତି ।
ଏହା ମଧ୍ୟ ପଢନ୍ତୁ- ସମବାୟ ବ୍ୟାଙ୍କ କେଳେଙ୍କାରୀ ଘଟଣା, ବର୍ଷେ ବିତିଯାଇଥିଲେ ସୁଦ୍ଧା କାର୍ଯ୍ୟାନୁଷ୍ଠାନ ଶୂନ
ଏନେଇ ବୌଦ୍ଧ ସମବାୟ ସମ୍ପାଦକ କହିଛନ୍ତି , "ଜିଲ୍ଲାର ସମବାୟ ବ୍ୟାଙ୍କ ବୈଠକ ଦ୍ବିତୀୟ ଥର ପାଇଁ ଅନୁଷ୍ଠିତ ହୋଇଥିଲା । ଏଥିରେ ସବୁ ସୋସାଇଟିର ସଭାପତିମାନେ ଯୋଗଦାନ କରିଥିଲେ । ଏହି ବୈଠକରେ ବ୍ୟଙ୍କ ନେଇ ଥିବା ସମସ୍ତ ସମସ୍ୟା ଉପରେ ଆଲୋଚନା ହେବା ସହ ଏହାର ଦୂରୀକରଣ ନେଇ ମଧ୍ୟ ଆଲୋଚନା ହୋଇଥିଲା । ବ୍ୟାଙ୍କ୍ରୁ ଦିଆଯାଇଥିବା ଋଣରେ ଉପଯୁକ୍ତ ହିତାଧିକାରୀ କିପରି ସାମିଲ ହୋଇପରିବେ ସେହି ବିଷୟରେ ମଧ୍ୟ ଆଲୋଚନା ହୋଇଥିଲା ।"
ଇଟିଭି ଭାରତ, ବୌଦ୍ଧ