ବୌଦ୍ଧ: କେନ୍ଦୁପତ୍ର ସଂଗ୍ରହକୁ ନେଇ ଦୁଇଟି ଗ୍ରାମର ଗ୍ରାମବାସୀ ମୁହାଁମୁହିଁ ପରିସ୍ଥିତି । ବୌଦ୍ଧ ଜିଲ୍ଲା ବଘିଆପଡା ଫାଣ୍ଡି ଅଧିନରେ ସାଲୁଙ୍କୀ ନଦୀର ଦୁଇ ପାର୍ଶ୍ଵରେ ଦୁଇଟି ଗ୍ରାମ ରହିଛି । ଗୋଟିଏ ଆମ୍ବଝରୀ ପଞ୍ଚାୟତ କୁରୁକୁଚ ଓ ଅନ୍ୟଟି ଟିକରପଡା ପଞ୍ଚାୟତ କତମସିଂ ଗ୍ରାମ । ସୂଚନା ମୁତାବକ କତମସିଂ ଗ୍ରାମର କେନ୍ଦୁପତ୍ର ତୋଳାଳିମାନେ କୁରୁକୁଚ ଅଞ୍ଚଳର ଜଙ୍ଗଲରୁ କେନ୍ଦୁପତ୍ର ସଂଗ୍ରହକୁନେଇ ଏହି ବିବାଦର ସୂତ୍ରପାତ ହୋଇଥିଲା ।
କେନ୍ଦୁପତ୍ର ସଂଗ୍ରହ କରିନପାରିବାରୁ କତମସିଂ ପତ୍ର ତୋଳାଳୀମାନେ ବଘିଆପଡା ଫାଣ୍ଡିରେ ଅଭିଯୋଗ କରିଥିଲେ । ତେବେ କୁରୁକୁଚ ଗ୍ରାମବାସୀଙ୍କ କେନ୍ଦୁପତ୍ର ବିଭାଗ ଫଡିରୁ ଫେରାଇ ଦେଇଥିବା ଅଭିଯୋଗ ହୋଇଛି । ଉଭୟ ପକ୍ଷ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିବା ସମୟରେ କେନ୍ଦୁପତ୍ର ବିଭାଗ ବୁଝାସୁଝା କରି ସମାଧାନ ନକରିବା ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି ।
କତମସିଂ ଗ୍ରାମବାସୀ ନିଜର କୌଣସି ଭୁଲ ନଥିବା ଦର୍ଶାଇ ଥିବା ବେଳେ କୁରୁକୁଚ ଗ୍ରାମବାସୀ ନିଜ ଅଞ୍ଚଳରେ ନିଜେ ପତ୍ର ସଂଗ୍ରହ କରିବା ସହିତ କୁରୁକୁଚ ଠାରେ ଏକ ଫଡି ସ୍ଥାପନ ପାଇଁ ଦାବି କରିଛନ୍ତି । ଏସମ୍ପର୍କରେ ଆମେ ବୌଦ୍ଧ କେନ୍ଦୁପତ୍ର ଡିଏଫଓଙ୍କୁ ଯୋଗାଯୋଗ କରିବାରୁ ଚଳିତ ବର୍ଷ ପତ୍ର ସଂଗ୍ରହ କାର୍ଯ୍ୟ ଶେଷ ସୋପାନରେ ପହଞ୍ଚିଲାଣି । ଆସନ୍ତା ବର୍ଷ ପାଇଁ ସେଠାରେ ପତ୍ର ସଂଗ୍ରହ କେନ୍ଦ୍ର ଖୋଲିବେ ବୋଲି ସୂଚନା ଦେଇଛନ୍ତି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ