ବୌଦ୍ଧ: ସାଙ୍ଘାତିକ ହେବାରେ ଲାଗିଛି କୋରୋନା ସଂକ୍ରମଣ । ଆଉ ଏଭଳି ସମୟରେ କୋରୋନା ଆକ୍ରାନ୍ତଙ୍କ ଅକ୍ସିଜେନ ଲେବଲ ଉପଯୁକ୍ତ ସ୍ତରରେ ରଖିବାକୁ ଉଭୟ ସ୍ବେଚ୍ଛାସେବୀ ଓ ପ୍ରଶାସନିକ ସ୍ତରରେ ବ୍ୟାପକ ଉଦ୍ୟମ ଜାରି ରହିଛି । ବୌଦ୍ଧ ଜିଲ୍ଲାରେ ବିଗତ କିଛି ଦିନ ହେଲା ସଂକ୍ରମିତଙ୍କ ସଂଖ୍ୟା ତିନି ଶହ ଉପରେ । ଏଭଳି ସମୟରେ ବିଭିନ୍ନ ସଂକ୍ରମିତ ଅଞ୍ଚଳରେ ସ୍ବାସ୍ଥ୍ୟ ବିଭାଗର ସ୍ବତନ୍ତ୍ର ଟିମ୍ ପହଞ୍ଚି ଲୋକଙ୍କୁ ପ୍ରୋନାଲ ବ୍ରିଦିଙ୍ଗ କୌଶଳ ଆପଣେଇବାକୁ ସଚେତନ କରୁଛନ୍ତି ।
ଏନେଇ ସ୍ବାସ୍ଥ୍ୟ ବିଭାଗର ଏପିଡେମୋଲିଷ୍ଟ ଖୋଦ୍ ଏକ ଭିଡିଓ ମାଧ୍ୟମରେ ଲୋକଙ୍କୁ ଏହାର ପ୍ରକ୍ରିୟାକୁ ନେଇ ସଚେତନ କରିଛନ୍ତି । ଏହି ପ୍ରକ୍ରିୟା ରୋଗୀ, ରୋଗୀଙ୍କ ସମ୍ପର୍କରେ ଆସିଥିବା ଲୋକ ଓ ଏପରିକି ସାଧାରଣ ମଣିଷ ମଧ୍ୟ ଏହା ଆପଣେଇ ପାରିବ ବୋଲି ସୂଚନା ମିଳିଛି । କେବଳ ହୃଦ ରୋଗୀଙ୍କୁ ଛାଡି ଅନ୍ୟ ସମସ୍ତ ବର୍ଗର ଲୋକ ଏହି ପ୍ରକ୍ରିୟା କରିପାରିବେ ବୋଲି ସୂଚନା ମିଳିଛି ।
ସ୍ବାସ୍ଥ୍ୟ ବିଭାଗ ସମେତ ଜିଲ୍ଲାର ବିଭିନ୍ନ ଅଞ୍ଚଳ ଗସ୍ତ କରି ଅଧ୍ୟାପକ ପ୍ରବୀର ଦାସ, ରାକେଶ ତ୍ରିପାଠୀ, ଓମ୍ ପ୍ରକାଶ ମିଶ୍ରଙ୍କ ଭଳି ଅନେକ ଯୁବ ସ୍ବେଚ୍ଛାସେବୀ ଲୋକଙ୍କୁ ଏନେଇ ସଚେତନ କରୁଛନ୍ତି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ