ବୌଦ୍ଧ: ଜିଲ୍ଲାରେ ଏକଦା ବାଲ୍ୟବିବାହ ଓ ଶିଶୁ ଶ୍ରମିକ ପ୍ରଥା ପ୍ରଶାସନ ପାଇଁ ମୁଣ୍ଡ ବ୍ୟଥାର କାରଣ ହୋଇଥିଲା । ବୌଦ୍ଧ ଜିଲ୍ଲାର ହରଭଙ୍ଗା, କଣ୍ଟାମାଳ ଓ ବୌଦ୍ଧ ବ୍ଲକର ବିଭିନ୍ନ ସ୍ଥାନରେ ଶହ ଶହ ବାଲ୍ୟବିବାହ ଏକ ସାଧାରଣ ବିଷୟ ଥିଲା । କିନ୍ତୁ ଗତ କିଛି ବର୍ଷ ମଧ୍ୟରେ ଜିଲ୍ଲା ପ୍ରଶାସନ ଓ ମହିଳା ଶିଶୁ ବିଭାଗର ତ୍ବରିତ ପଦକ୍ଷେପ ଫଳରେ ଏଭଳି ପାରମ୍ପରିକ ପ୍ରଥା ବିରୋଧରେ ଅନେକାଂଶରେ ସଫଳତା ମିଳିଛି । ତେବେ ଅଦ୍ୟାବଧି କେତେକ ସ୍ଥାନରେ ବାଲ୍ୟବିବାହ ଓ ଶିଶୁ ଶ୍ରମିକଙ୍କୁ ଅତ୍ୟନ୍ତ ବିପଦଜନକ ସ୍ଥାନରେ କାର୍ଯ୍ୟରେ ନିୟୋଜିତ କରାଯାଉ ଥିବାରୁ ଏନେଇ ଗଭୀର ଉଦବେଗ ପ୍ରକାଶ ପାଉଛି ।
ମଙ୍ଗଳବାର ବୌଦ୍ଧ ଜିଲ୍ଲା ପ୍ରଶାସନ, ବିଭିନ୍ନ ଟାସ୍କଫୋର୍ସ ,ବିଭିନ୍ନ ବିଭାଗୀୟ ଅଧିକାରୀ ଓ କିଶୋର କିଶୋରୀ ମାନେ ମିଶି ଶିଶୁ ପାଇଁ ଦିନ ଟିଏ କାର୍ଯ୍ୟକ୍ରମ ପାଳନ କରିଛନ୍ତି । ଏଥିରେ ଏଭଳି ବାଲ୍ୟବିବାହ ଓ ଶିଶୁ ଶ୍ରମିକ ଘଟଣା ସମ୍ମୁଖକୁ ଆସିଲେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜିଲ୍ଲାପାଳ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏହି ଅବସରରେ ଜିଲ୍ଲାର ବିଭିନ୍ନ ସ୍ଥାନରୁ ବାଲ୍ୟବିବାହ ସମୟରେ ଉଦ୍ଧାର ହୋଇଥିବା ୬ଜଣ କିଶୋରୀ ଛାତ୍ରୀଙ୍କୁ ଜିଲ୍ଲା ପ୍ରଶାସନ ପୃଷ୍ଠପୋଷକ ଆର୍ଥିକ ସହାୟତା ଯୋଗାଇ ଦେଇଛନ୍ତି ।