ବୌଦ୍ଧ: ବିଦାୟ ନେଲା ପୁରୁଣା ବର୍ଷ । ଆସିଲା ନୂଆ ବର୍ଷ । ନୂଆବର୍ଷ ପଶ୍ଚିମ ଓଡିଶାବାସୀଙ୍କ ପାଇଁ ବେଶ୍ ଆନନ୍ଦ ଆଣିଛି । ଜାନୁଆରୀ 2ରେ ଗଡଜାତ ଜିଲ୍ଲାରେ ପ୍ରଥମ ସଂଗ୍ରହାଳୟର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ଜିଲ୍ଲାର ପ୍ରତିଷ୍ଠା ଦିବସ ଅବସରରେ ଜିଲ୍ଲା ସଂଗ୍ରହଳାୟର ଉଦଘାଟନ ହେବ । ପଶ୍ଚିମ ଓଡିଶାରେ ଏହା ହେବ ପ୍ରଥମ ସଂଗ୍ରହାଳୟ । ପ୍ରଶାସନର ଉଦ୍ୟମ କ୍ରମେ ଶହେ ବର୍ଷର ପୁରୁଣା କୋର୍ଟ ବିଲ୍ଡିଂକୁ ଜିଲ୍ଲା ସଂଗ୍ରହାଳୟ ଭାବରେ ପ୍ରସ୍ତୁତ କରାଯାଇଛି । ଜିଲ୍ଲା ତଥା ଜିଲ୍ଲା ବାହାର ବିଭିନ୍ନ ସ୍ଥାନରୁ ପ୍ରାଚୀନ ମୂଲ୍ୟବାନ ସାମଗ୍ରୀ ସଂଗ୍ରହ କରାଯାଇ ଏଠାରେ ଭିନ୍ନ ଭିନ୍ନ କଠୋରୀରେ ସ୍ଥାନିତ କରାଯାଇଛି । ପ୍ରାଚୀନ ସାମଗ୍ରୀ ସହିତ ପ୍ରାଚୀନ ଯୁଦ୍ଧ ଅସ୍ତ୍ରଶସ୍ତ୍ର ଆକର୍ଷଣର କେନ୍ଦ୍ର ବିନ୍ଦୁ ହେବ । ଏହି ଧାରାରେ ଗୁରୁବାର ରାମଗଡ ପଞ୍ଚାୟତର ଐତିହାସିକ ସ୍ଥାନରୁ ଧ୍ବଂସାବଶେଷକୁ ବିଧାୟକ ଓ ଜିଲ୍ଲାପାଳଙ୍କ ଉପସ୍ଥିତିରେ ପ୍ରଦାନ କରାଯାଇଛି ।
ସେହିପରି ଓଡ଼ିଶାର ଅନ୍ୟତମ ପ୍ରାଚୀନ ଅନୁଷ୍ଠାନ ଯୋଗୀନ୍ଦ୍ର ଦେବ କ୍ଲବ ଅନେକ ମୂଲ୍ୟବାନ ସାମଗ୍ରୀ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଜିଲ୍ଲା ପ୍ରଶାସନକୁ ମ୍ୟୁଜିୟମ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଛି । ଆଉ କିଛି ସମୟ ପରେ ଏହି ମ୍ୟୁଜିୟମକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିବେ । ପ୍ରାଚୀନ ଐତିହ୍ୟର ଜିଲ୍ଲା ତାର ପରିଚୟ ଫେରି ପାଇଛି । ଜିଲ୍ଲାରେ ସଂଗ୍ରହାଳୟ ପ୍ରତିଷ୍ଠା ନେଇ ଜିଲ୍ଲାବାସୀ ବେଶ ଆନନ୍ଦିତ ଅଛନ୍ତି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ