ବୌଦ୍ଧ: ମହିଳାଙ୍କୁ ସଶକ୍ତ କରିବାକୁ ସରକାର ସ୍ବୟଂ ସହାୟକ ଗୋଷ୍ଠିର ଆରମ୍ଭ କରଛନ୍ତି । ଏହି ଗୋଷ୍ଠି ଦ୍ବାରା ମହିଳାମାନେ ବିଭିନ୍ନ ବ୍ୟବସାୟ କରି ଦୁଇ ପାଇସା ରୋଜଗାର କରିବାକୁ ସକ୍ଷମ ହୋଇଛନ୍ତି । ବୌଦ୍ଧ ଜିଲ୍ଲା ବଘିଆପଡା ପଞ୍ଚାୟତ ଭୁକ୍ତାପଡା ଗ୍ରାମର ମହିଳାମାନଙ୍କୁ ସଶକ୍ତ କରିବାକୁ କୁକୁଡା ବ୍ୟବସାୟ ପାଇଁ ସରକାରଙ୍କର କୁକୁଡା ଘର ପ୍ରଦାନକୁ ଦୁଇ ବର୍ଷ ବିତିଯାଇଛି ହେଲେ ଏହାର ନିର୍ମାଣ କାମ ଶେଷ ହୋଇ ପାରୁନାହିଁ ।
ମହିଳାଙ୍କ ପାଇଁ ଏହି ସବୁ ବ୍ୟବସ୍ଥା ନାମକୁ ମାତ୍ର । ଉପାନ୍ତ ଅଞ୍ଚଳରେ ଏହି ସବୁ ଯୋଜନାର ବାସ୍ତବ ଚିତ୍ର ଓଲଟା ପରି ମନେ ହେଉଛି । ଜିଲ୍ଲାର ମହିଳାମାନଙ୍କୁ କୁକୁଡା ଚାଷ କରି ଦୁଇ ପଇସା ରୋଜଗାର କରିବା ପାଇଁ ସରକାର ପ୍ରଦାନ କରିଥିବା କୁକୁଡା ଘର ଦୀର୍ଘ ଦୁଇବର୍ଷ ଦେବ ଶେଷ ହୋଇ ପାରୁନି । କୁକୁଡ଼ା ଘର ନିର୍ମାଣ ପାଇଁ ଖୋଦ ବ୍ଲକ ପ୍ରଶାସନ ଦାୟିତ୍ୱ ନେଇଥିଲେ ମଧ୍ୟ ଅଧାରେ ଅଟକୁଛି ଘର ନିର୍ମାଣ । ଦୁଇ ବର୍ଷ ହେଲା ଉକ୍ତ କୁକୁଡ଼ା ଘର ନିର୍ମାଣ ଚାଲିଛି ଯେ ତାହା ସମ୍ପୂର୍ଣ୍ଣ ହେବାର ନା ଧରୁନି ।
କୁକୁଡା ଚାଷ କରି ଦୁଇ ପଇସା ରୋଜଗାର କରିବାର ଆଶା ଦେଖିଥିବା ମହିଳାଙ୍କ ଆଶା ଆଶାରେ ରହିଯାଇଛି । ଘର ନିର୍ମାଣ ହୋଇ ପାରୁନଥିବାରୁ ସ୍ବୟଂ ସହାୟକ ଗୋଷ୍ଠୀର ମହିଳାଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି । ତୁରନ୍ତ ଏଦିଗରେ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଇ ପଦକ୍ଷେପ ଗ୍ରହଣ ପାଇଁ ଦାବି ହୋଇଛି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ