ବୌଦ୍ଧ: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଅନ୍ତର୍ଗତ ବାମଣ୍ଡା ପଞ୍ଚାୟତର ଦେବଗଡ ଗ୍ରାମରେ ରହିଛି ଏକ ବିରଳ ପ୍ରତିମା । ପ୍ରତିମୂର୍ତ୍ତି ହେଉଛି ଲକ୍ଷ୍ମଣଙ୍କ ଧର୍ମ ପତ୍ନୀ ସତୀ ଉର୍ମିଳା ମାତାଙ୍କ। ତେଣୁ ଆଜି ପବିତ୍ର ସାବିତ୍ରୀ ବ୍ରତ ଉପଲକ୍ଷେ ଅଞ୍ଚଳର ଅନେକ ସଧବା ମହିଳା ନିଜ ସ୍ବାମୀଙ୍କ ମଙ୍ଗଳ କାମନା କରି ମାତା ଉର୍ମିଳାଙ୍କ ନିକଟରେ ପୂଜାର୍ଚ୍ଚନା କରିଥିଲେ ।
ଦେବଗଡ଼ ଗ୍ରାମର ଏକ ସୁଉଚ୍ଚ ସ୍ଥାନରେ ରହିଛି ପ୍ରଭୁ ଶ୍ରୀ ରାମଚନ୍ଦ୍ରଙ୍କ ପ୍ରାଚୀନ ମନ୍ଦିର । ଆଉ ଏହି ମନ୍ଦିର ଗର୍ଭଗୃହରେ ଶ୍ରୀ ରାମଚନ୍ଦ୍ର, ମାତା ସୀତା ଓ ଭାଇ ଲକ୍ଷ୍ମଣଙ୍କ ସହିତ ପୂଜା ପାଉଛନ୍ତି ବିରଳ ଉର୍ମିଳାଙ୍କ ପ୍ରତିମୂର୍ତ୍ତି ।
ତେବେ ଏଠାରେ ଦୀର୍ଘ କାଳରୁ ମାତା ଉର୍ମିଳାଙ୍କୁ ସତୀ ଭାବରେ ପୂଜାର୍ଚ୍ଚନା କରାଯିବା ସହ ସାବିତ୍ରୀ ଅମାବାସ୍ୟାରେ ମହିଳା ମାନେ ଏକତ୍ରିତ ହୋଇ ସତୀ ସାବିତ୍ରୀଙ୍କୁ ମାତା ଉର୍ମିଳାଙ୍କ ରୂପରେ ଉପାସନା କରିଥାନ୍ତି । ଭଗବାନ ଲକ୍ଷ୍ମଣଙ୍କ ପତ୍ନୀ ମାତା ଉର୍ମିଳାଙ୍କ ଉପାସନା ସାରା ବିଶ୍ବରେ ବିରଳ ଥିବାବେଳେ ଦେବଗଡର ଏହି ପ୍ରାଚୀନ ପୀଠ ବୌଦ୍ଧକୁ ଏକ ସ୍ବତନ୍ତ୍ର ପରିଚୟ ପ୍ରଦାନ କରିଛି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଈଟିଭି ଭାରତ