ବୌଦ୍ଧ: ଡାଳୁଅ ଧାନକ୍ରୟ ପାଇଁ ଆରମ୍ଭ ହେଲାଣି ରେଜିଷ୍ଟ୍ରେସନ ପ୍ରକ୍ରିୟା । ସେପଟେ କିନ୍ତୁ ଚାଷୀ ଖରିଫ ଧାନରୁ କେଜିଟିଏ ମଧ୍ୟ ବିକ୍ରି କରି ପାରିନାହିଁ । ଟାର୍ଗେଟ ଓ ଟୋକନର ଗୋଳମାଳିଆ ଧନ୍ଦାରେ ଅତିଷ୍ଠ ହୋଇ ଶେଷରେ ଧାନକ୍ରୟ କେନ୍ଦ୍ରରେ ତାଲା ଠୁଙ୍କିଲେ ।
ବୌଦ୍ଧ ଜିଲ୍ଲାର ବିଭିନ୍ନ ଧାନକ୍ରୟ କେନ୍ଦ୍ରରେ ଟାର୍ଗେଟ ସରିଯିବାକୁ ବସିଥିବା ବେଳେ ବେପାରୀ ଓ ଦଲାଲଙ୍କ ଧାନବିକ୍ରି ହୋଇସାରିଛି । ଗୋଟିଏ ପଟରେ ଗରିବ ଚାଷୀଙ୍କ ଧାନ ଆଦୌ ବିକ୍ରି ହୋଇପାରି ନଥିବା ବେଳେ ଟାର୍ଗେଟ ସମସ୍ୟା ଯୋଗୁଁ ଏବେ ଚିନ୍ତାରେ ଚାଷୀ ।
ଆଜି ବୌଦ୍ଧ ଜିଲ୍ଲା ରକ୍ସା ସମବାୟ ସମିତିର କୁରୁମପଦର ଧାନକ୍ରୟ କେନ୍ଦ୍ରରେ ଉତ୍ୟକ୍ତ ଚାଷୀ ଧାନବିକ୍ରି ନହେବା ପ୍ରତିବାଦରେ ସମବାୟ କର୍ମଚାରୀଙ୍କୁ କାର୍ଯ୍ୟାଳୟ ଭିତରେ ରଖି ଦୀର୍ଘ ଆଠ ଘଣ୍ଟା ଧରି ତାଲା ବନ୍ଦ କରି ରଖିଥିଲେ । ଅଞ୍ଚଳର ଚାଷୀ ଯୋଗାଣ ବିଭାଗର ତୃଟି ପୂର୍ଣ୍ଣ ଧାନକିଣା ବ୍ୟବସ୍ଥାକୁ ଦାୟୀ କରି ଏହାର ସମାଧାନ ନହେଲେ ଆଗାମୀ ଦିନରେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ