ବୌଦ୍ଧ: ପଶ୍ଚିମ ଓଡ଼ିଶାରେ ପ୍ରଥମଥର ପାଇଁ ଆରମ୍ଭ ହେଲା ଅଷ୍ଟିଓପ୍ୟାଥି ଚିକିତ୍ସା । ବିନା ଅସ୍ତ୍ରୋପଚାର ତଥା ଔଷଧ ସେବନ ଦ୍ବାରା ରୋଗକୁ ନିରାକରଣ କରାଯାଉଥିବା ସୂଚନା ମିଳିଛି । ଅଳ୍ପ କିଛି ଦିନ ପୂର୍ବରୁ ଭାରତରେ ପହଞ୍ଚି ଥିବା ଅଷ୍ଟିଓପ୍ୟାଥି ଚିକିତ୍ସା ଓଡ଼ିଶାର ଖୋର୍ଦ୍ଧା, କଟକ ଓ ଭୁବନେଶ୍ୱର ପରେ ବର୍ତ୍ତମାନ ପଶ୍ଚିମ ଓଡିଶାର ବୌଦ୍ଧ ଜିଲ୍ଲାରେ ପ୍ରଥମଥର ପାଇଁ ଆରମ୍ଭ ହୋଇଛି । ରାଜ୍ୟ ସରକାର ଓ ସ୍ବାସ୍ଥ୍ୟ ବିଭାଗ ସହଯୋଗରେ ଏହି ଚିକିତ୍ସା କେନ୍ଦ୍ର ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଜେରେଟ୍ରିକ ଓ୍ବାର୍ଡ ପରିସରରେ ସ୍ଥାପନ କରାଯାଇଛି ।
ତେବେ ଗତ 29 ତାରିଖରେ ଏହି କେନ୍ଦ୍ରକୁ ଆଧ୍ୟାତ୍ମିକ ଗୁରୁ ଶ୍ରୀ ଶ୍ରୀ ରବିଶଙ୍କର, ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ କୁମାର ଅମାତ, ଜିଲ୍ଲାପାଳ ସତ୍ୟ ରଞ୍ଜନ ସାହୁ ଓ ଅନ୍ୟ ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ଆଭାସି ମାଧ୍ୟମରେ ଉଦଘାଟନ କରାଯାଇଥିଲା । ଗୁରୁବାର ଠାରୁ ଏହି ଚିକିତ୍ସା କେନ୍ଦ୍ର ବିଧିବଦ୍ଧ ଭାବରେ ସେବା ଯୋଗାଇବା ଆରମ୍ଭ କରିଛି । ଏହି ଚିକିତ୍ସା ପଦ୍ଧତିରେ କୌଣସି ଅସ୍ତ୍ରୋପଚାର କିମ୍ବା ଔଷଧ ସେବନର ବ୍ୟବସ୍ଥା ନଥିବା ବେଳେ କେବଳ ହାତ ଦ୍ବାରା ରୋଗର ନିଦାନ ତଥା ଉପଚାର କରାଯାଉଥିବା ସୂଚନା ମିଳିଛି ।
ଏଭଳି ଚିକିତ୍ସା ଦ୍ବାରା ରୋଗକୁ ସମୂଳେ ଉପଶମ କରାଯାଇ ପାରିବ ବୋଲି ବିଶେଷଜ୍ଞ ଡାକ୍ତର ମତ ପ୍ରକାଶ କରିଛନ୍ତି । ଏହାଛଡା ଏହି ଚିକିତ୍ସା ସମ୍ପର୍କରେ ଡାକ୍ତର ଇଟିଭି ଭାରତକୁ ବିସ୍ତୃତ ଭାବରେ ସୂଚନା ପ୍ରଦାନ କରିଛନ୍ତି । ହାତ ମାଧ୍ୟମରେ ଏହି ଚିକିତ୍ସା କରାଯାଇଥାଏ । ରୋଗକୁ ସମୂଳେ ନାଶ କରିବା ଏହି ଚିକିତ୍ସା ମୂଳ ଲକ୍ଷ୍ୟ ବୋଲି କହିଛନ୍ତି ଡାକ୍ତର । ହାତ ମାଧ୍ୟମରେ ରୋଗୀର ଶରୀରରେ ଥିବା ରୋଗକୁ ଚିହ୍ନଟ କରାଯାଇ ଏହାର ପ୍ରତିକାର କରାଯାଏ । ପଶ୍ଚିମ ଓଡିଶାର ପ୍ରଥମ ଜିଲ୍ଲା ଭାବରେ ବୌଦ୍ଧରେ ଆରମ୍ଭ ହେଲା ଅଷ୍ଟିଓପ୍ୟାଥି ଚିକିତ୍ସା କେନ୍ଦ୍ର । ବିନା ଅସ୍ତ୍ରୋପଚାର ତଥା ଔଷଧ ସେବନ ଦ୍ବାରା ଚିକିତ୍ସା ଦ୍ବାରା ବିଭିନ୍ନ ରୋଗକୁ ଚିକିତ୍ସା କରାଯାଇ ପାରୁଥିବା ସୂଚନା ମିଳିଛି ।
ଇଟିଭି ଭାରତ, ବୌଦ୍ଧ