ବୌଦ୍ଧ : ଜିଲ୍ଲାରେ ବେକାବୁ ହେବାରେ ଲାଗିଛି କରୋନା ସଂକ୍ରମଣ । ଜିଲ୍ଲାର ବିଭିନ୍ନ ପଞ୍ଚାୟତରେ କରୋନା ସଂକ୍ରମଣ ସାଧାରଣ ଜନଜୀବନକୁ ପ୍ରଭାବିତ କରିଛି । ଜିଲ୍ଲାରୁ ପ୍ରତ୍ୟେକ ଦିନ 150ରୁ 200 ପର୍ଯ୍ୟନ୍ତ ଆକ୍ରାନ୍ତ ଚିହ୍ନଟ ହେଉଥିବାବେଳେ କରୋନା ଜନିତ ମୃତ୍ୟୁ ହାର ମଧ୍ୟ ବଢିବାରେ ଲାଗିଛି ।
ଆଜି ଜିଲ୍ଲାର ଜଣେ ସାମ୍ବାଦିକ ଦୁର୍ବାକ୍ଷ ବସ୍ତିଆଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ସେ ଗତ ଦଶ ଦିନରୁ ଊର୍ଦ୍ଧ୍ବ ହେଲା ଅସୁସ୍ଥ ଥିବା ବେଳେ ଆଜି ତାଙ୍କର ସୋନପୁର ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିବା ଜଣାପଡିଛି । ସ୍ବର୍ଗତ ବସ୍ତିଆଙ୍କ ମୃତ୍ୟୁ ଖବର ପାଇ ବୌଦ୍ଧ ଜିଲ୍ଲାପାଳ, ବିଭିନ୍ନ ସାମ୍ବାଦିକ ସଂଗଠନ, ବରିଷ୍ଠ ସାମ୍ବାଦିକ ଗଭୀର ଶୋକ ପ୍ରକାଶ କରିଛନ୍ତି ।
ଜିଲ୍ଲାରେ ପାଞ୍ଚ ହଜାର ମୁହାଁ ସଂକ୍ରମିତଙ୍କ ସଂଖ୍ୟା ହେବାକୁ ବସିଥିବାବେଳେ ବିବାହ ଭୋଜି କରୋନା ସଂକ୍ରମଣର ନୂତନ ଠିକଣା ପାଲଟିଛି । ଏଣୁ ବର୍ତ୍ତମାନ ବୌଦ୍ଧ ଜିଲ୍ଲାରେ ଏହା ଗୋଷ୍ଠୀ ସଂକ୍ରମଣ ଆଡକୁ ଗତି କରିବା ଆରମ୍ଭ କରିଛି । ସେପଟେ ଏହି ମହାମାରୀ ଦ୍ବାରା ଜିଲ୍ଲାର ଏକାଧିକ ଗଣମାଧ୍ୟମ ପ୍ରତିନିଧିମାନେ ଆକ୍ରାନ୍ତ ହୋଇଛନ୍ତି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ