ବୌଦ୍ଧ: ଭିଜିଲାନ୍ସ ଜାଲରେ ଲାଞ୍ଚଖିଆ ବାବୁ। ଠିକାଦାରଙ୍କ ପାଖରୁ ବାର ହଜାର ଟଙ୍କା ଲାଞ୍ଚ ନେଇ ଓଡିଶା ବନ ଉନ୍ନୟନ ନିଗମର କଣ୍ଟାମାଳ ଏସଡିଏମ ଭିଜିଲାନ୍ସ ଜାଲରେ ପଡି ଗିରଫ ହୋଇଛନ୍ତି ।
ଖବର ଅନୁଯାୟୀ, କଣ୍ଟାମାଳ ବ୍ଳକର ରୁଣ୍ଡିମହୁଲ ଗ୍ରାମର ଠିକାଦାର ସତ୍ୟନାରାୟଣ ଖଟୁଆ । ସେ କଣ୍ଟାମାଳଠାରେ ବନ ଉନ୍ନୟନ ନିଗମର ୬୦୦୦ ଚାରାକୁ ପାଣି ଦେବା ପାଇଁ ଟେଣ୍ଡର ପାଇଥିଲେ । ପ୍ରତି ମାସରେ ତାଙ୍କୁ ପାଣିଦେବା ବାବଦରେ ୩୬ ହଜାର ଟଙ୍କା ଦେବାର ଚୁକ୍ତି ହୋଇଥିଲା । ଏଥିପାଇଁ ବିଭାଗ ପକ୍ଷରୁ ବର୍ଷକୁ ତିନିଟି ଚେକ ମାଧ୍ୟମରେ ପ୍ରତି ଚେକରେ ୧୨ ହଜାର ଟଙ୍କା ଲେଖାଏଁ ତାଙ୍କୁ ପ୍ରଦାନ କରାଯାଇଥାଏ ।
ତେବେ ଏପ୍ରିଲ ୨୦୧୯ ପର୍ଯ୍ୟନ୍ତ ସମସ୍ତ ଟଙ୍କା ତାଙ୍କୁ ପ୍ରଦାନ କରାଯାଇଛି । କିନ୍ତୁ ମଇ ମାସ ବିଲ ମାଗିବାରୁ ତାଙ୍କୁ ଦୁଇଟି ଚେକ ୨୪ ହଜାର ଟଙ୍କା ବନ ଉନ୍ନୟନ ନିଗମର ଏସଡିଏମ ବିକ୍ରମ କୁମାର ସାହୁ ଦେଇଥିବା ବେଳେ ଆଉ ଗୋଟିଏ ଚେକ ୧୨ ହଜାର ଟଙ୍କା ନଦେଇ ଏପ୍ରିଲ ମାସର ୬ ହଜାର ଟଙ୍କା ଓ ମଇ ମାସର ୬ ହଜାର ଟଙ୍କା ଲାଞ୍ଚ ମାଗିଥିଲେ ।
ଏନେଇ ଶ୍ରୀ ଖଟୁଆ ୨୫.୬.୧୯ରେ ବୌଦ୍ଧ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ । ଖଟୁଆଙ୍କ ଅଭିଯୋଗ ପରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଯୋଜନା ପ୍ରସ୍ତୁତ କରାଯାଇଥିଲା ଓ ନିଜ କାର୍ଯ୍ୟାଳୟରେ ଏସଡିଏମ ଶ୍ରୀ ସାହୁ ୧୨ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ତାଙ୍କ ଠାରୁ ଟଙ୍କା ଜବତ କରିବା ସହ ଗିରଫ କରାଯାଇଛି ।
ଏନେଇ ଭିଜିଲାନ୍ସ ଡିଏସପି ରବିକାନ୍ତ ସୁନାଙ୍କୁ ପଚାରିବାରୁ ଏସଡିଏମଙ୍କ ଠାରୁ ଲାଞ୍ଚ ନେଇଥିବା ୧୨ ହଜାର ଟଙ୍କା ଜବତ କରାଯାଇଛି । ଏହାସହ ବୌଦ୍ଧ ଭିଜିଲାନ୍ସ କେସ ନଂ ୧୩/୨୦୧୯-୨୦ ରେ ଏକ ମାମଲା ରୁଜୁ କରାଯାଇଛି ବୋଲି ସେ ପ୍ରକାଶ କରିଛନ୍ତି ।
ଗୁରୁବାର ଅଭିଯୁକ୍ତ ଏସଡିଏମଙ୍କୁ ଫୁଲବାଣୀ ଭିଜିଲାନ୍ସ କୋର୍ଟକୁ ଚାଲାଣ କରାଯାଇଛି । ଏହାସହ ଲାଞ୍ଚୁଆ ଏସଡିଏମଙ୍କ ଓଡଗାଁର ବେରୁଆବାଣୀ ଘରେ ମଧ୍ୟ ବିଭାଗ ପକ୍ଷରୁ ଚଢାଉ କରାଯାଇଛି । ଏହି ଚଢାଉରେ ଇନସ୍ପେକ୍ଟର କ୍ରିଷ୍ଣା କୁମାରୀ ପ୍ରଧାନ, କନେଷ୍ଟବଳ ରାମଚନ୍ଦ୍ର ସାହୁ, ମନୋଜ କୁମାର ନାଏକ ପ୍ରମୁଖ ସାମିଲ ଥିଲେ ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ