ବୌଦ୍ଧ: ଦିନେ ଯେଉଁ ଅଞ୍ଚଳରେ ଉପଯୁକ୍ତ ଖାଦ୍ୟ ତଥା ଚିକିତ୍ସା ଅଭାବରୁ ଶିଶୁ ଓ ଗର୍ଭବତୀ ମହିଳା ବ୍ୟାପକ ସମସ୍ୟାରେ ସମ୍ମୁଖୀନ ହେଉଥିଲେ । ବର୍ତ୍ତମାନ ସେସବୁ ଅଞ୍ଚଳର ଚିତ୍ର ଧିରେ ଧିରେ ବଦଳିବାରେ ଲାଗିଛି । ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନର ଉଦ୍ୟମ କ୍ରମେ ଏଭଳି ଉପାନ୍ତ ତଥା ଦୁର୍ଗମ ଅଞ୍ଚଳରେ ସମନ୍ବିତ ଶିଶୁ ଓ ମହିଳାଙ୍କ ପାଇଁ ବିଭାଗର କର୍ମୀମାନେ ପହଞ୍ଚି ସରକାରଙ୍କ କଲ୍ୟାଣକାରୀ ଯୋଜନା ସମ୍ପର୍କରେ ଅବଗତ କରିବା ସହ ପୁଷ୍ଟିକର ଖାଦ୍ୟ କିଭଳି ପାଇପାରିବେ ତାର ପ୍ରଚେଷ୍ଟା କରୁଛନ୍ତି ।
ଦୁର୍ଗମ ଅଞ୍ଚଳରେ ଦିନେ ଖାଦ୍ୟ ଓ ଚିକିତ୍ସାକୁ ନେଇ ଉଭୟ ଶିଶୁ ଓ ଗର୍ଭବତୀ ମହିଳା ଅତ୍ୟନ୍ତ କଷ୍ଟ ଭୋଗୁଥିଲେ । କିନ୍ତୁ ପରିବର୍ତ୍ତିତ ସମୟରେ ସମନ୍ବିତ ଶିଶୁ ଓ ମହିଳା ବିକାଶ ବିଭାଗ ଏନେଇ ବ୍ୟାପକ ପଦକ୍ଷେପ ଗ୍ରହଣ କରିଛି । ବୌଦ୍ଧ ଭଳି ଛୋଟ ଜିଲ୍ଲାରେ ଅନେକ ଦୁର୍ଗମ ଅଞ୍ଚଳ ରହିଛି ଯେଉଁଠାକୁ ସବୁଦିନିଆ ରାସ୍ତା ଅଭାବରୁ ସରକାରଙ୍କ ବିକାଶ ମୂଳକ ଯୋଜନା ଠିକରେ ପହଞ୍ଚି ପାରିନଥାଏ । ବିଶେଷ ଭାବରେ ଶିଶୁ ଓ ଗର୍ଭବତୀ ମହିଳା ଅତ୍ୟନ୍ତ କଷ୍ଟରେ ରହିଥାନ୍ତି । ପୁଷ୍ଟିହୀନତା ତଥା ଚିକିତ୍ସା ଅଭାବରୁ ଏସବୁ ଅଞ୍ଚଳର ହିତାଧିକାରୀ ଗୁଣିଗାରେଡି ନଚେତ୍ ସ୍ଥାନୀୟ ଘରୋଇ ଚିକିତ୍ସା ଉପରେ ନିର୍ଭର କରିଥାନ୍ତି । ତେବେ ବର୍ତ୍ତମାନ ସରକାରଙ୍କ ବିଭିନ୍ନ କଲ୍ୟାଣକାରୀ ଯୋଜନା ତଥା ଜିଲ୍ଲା ପ୍ରଶାସନର ପଦକ୍ଷେପ ଯୋଗୁଁ ଏଭଳି ସମସ୍ୟାର ସମାଧାନ ଦିଗରେ ବଡ ସଫଳତା ମିଳିବାକୁ ଯାଉଛି ।
ବୌଦ୍ଧ ଜିଲ୍ଲାର 3 ବ୍ଲକର ବିଭିନ୍ନ ପଞ୍ଚାୟତରେ ଏଭଳି ଶତାଧିକ ଗ୍ରାମ ରହିଛି । ଯେଉଁଠାକୁ ସବୁଦିନିଆ ରାସ୍ତା ଅଭାବରୁ ଆମ୍ବୁଲାନ୍ସ ସେବା ଓ ସ୍ବାସ୍ଥ୍ୟ ସେବା ଏକ ପ୍ରକାର ଅପହଞ୍ଚ ହୋଇ ରହିଥାଏ ।ଏଭଳି କ୍ଷେତ୍ରରେ ସ୍ଥାନୀୟ ଅଙ୍ଗନବାଡି ଦିଦି ଓ ଆଶାକର୍ମୀଙ୍କ ବଡ ଭୂମିକା ରହି ଆସିଛି । ଏହାଛଡା ବର୍ତ୍ତମାନ ଜିଲ୍ଲା ପ୍ରଶାସନର ଗାଁରେ ପ୍ରଶାସନ କାର୍ଯ୍ୟକ୍ରମ ଅନ୍ତର୍ଗତ ବିଭିନ୍ନ ଉପାନ୍ତ ଅଞ୍ଚଳରେ ପ୍ରଶାସନିକ ଅଧିକାରୀ ପହଞ୍ଚି ଶିଶୁ ଓ ମହିଳାଙ୍କ ସମସ୍ୟା ସମାଧାନ ପାଇଁ ପ୍ରଚେଷ୍ଟା କରୁଛନ୍ତି । ଖୋଦ ବୌଦ୍ଧ ଜିଲ୍ଲାପାଳ ସତ୍ୟ ରଞ୍ଜନ ସାହୁ ଏଭଳି ଅନେକ ଗ୍ରାମରେ ପହଞ୍ଚି ଶିଶୁ ଓ ମହିଳାଙ୍କ ସମସ୍ୟା କୁ ପ୍ରାଥମିକତା ଦେଇ ସମାଧାନ ପାଇଁ ନିର୍ଦ୍ଦେଶ ଦେଉଛନ୍ତି ।
ସେହିପରି ବର୍ତ୍ତମାନ ଜିଲ୍ଲାର 3ଟି ବ୍ଲକର ସମନ୍ବିତ ଶିଶୁ ଓ ମହିଳା ବିକାଶ ବିଭାଗ ପକ୍ଷରୁ ସୁଷମ ଖାଦ୍ୟର ପ୍ରଦର୍ଶନ କାର୍ଯ୍ୟକ୍ରମ ବୌଦ୍ଧ ସଦର ବ୍ଲକ କାର୍ଯ୍ୟାଳୟ ନିକଟରେ ଏଭଳି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଏଥିରେ ବିଶେଷ ଭାବରେ ସୁଷମ ଖାଦ୍ୟକୁ ନେଇ ସଚେତନ କରାଯିବା ସହିତ ପାରମ୍ପରିକ ଖାଦ୍ୟର ଉପଯୋଗ ସମ୍ପର୍କରେ ଆଲୋଚନା କରାଯାଇଥିଲା । ମାଣ୍ଡିଆ, ସୁଆଁ ଓ ବାଜରାରୁ ପ୍ରସ୍ତୁତ ବିଭିନ୍ନ ପାରମ୍ପରିକ ତଥା ସୁସ୍ୱାଦୁ ଖାଦ୍ୟ ସମ୍ଭାର ପ୍ରଦର୍ଶନ କରାଯାଇଥିଲା । ଏଭଳି ସୁଷମ ତଥା ପୁଷ୍ଟିଯୁକ୍ତ ଖାଦ୍ୟ ଉଭୟ ଶିଶୁ ଓ ମହିଳାଙ୍କ ପାଇଁ ଅତ୍ୟନ୍ତ ଉପଯୋଗୀ ଥିବା ବେଳେ ଏଥିରେ ବିଭିନ୍ନ ଖାଦ୍ୟ ସାର ରହିଛି ।
ଏହି ଅବସରରେ କୁନି କୁନି ଶିଶୁଙ୍କ ଅନ୍ନପ୍ରସନ୍ନ ଓ ଗର୍ଭବତୀ ମହିଳାଙ୍କ ସ୍ବାଦଖିଆ ବେଶ ଆନନ୍ଦରେ ପାଳନ କରାଯାଇଥାଏ । ମାଣ୍ଡିଆରୁ ପ୍ରସ୍ତୁତ ସ୍ବତନ୍ତ୍ର ଖିରି ଛୁଆଙ୍କୁ ଅନ୍ନପ୍ରସନ୍ନରେ ଦିଆଯାଉଥିବା ବେଳେ ଗର୍ଭବତୀ ମହିଳାଙ୍କ ପାଇଁ ସୁଆଁଳୀ ମଣ୍ଡାପିଠା ବେଶ ସୁସ୍ବାଦୁ ହୋଇଥାଏ । ଖାଦ୍ୟକୁ ନେଇ ବିଭିନ୍ନ ପଦକ୍ଷେପ ନିଆଯାଉଥିବା ବେଳେ ଆଜି ମଧ୍ୟ ଅନେକ ଅଙ୍ଗନବାଡି ସମସ୍ୟା ଘେରରେ ରହିଯାଇଛି । ବୌଦ୍ଧ, ହରଭଙ୍ଗା ଓ କଣ୍ଟାମାଳ ବ୍ଲକର ଅନେକ ଅଙ୍ଗନବାଡି କେନ୍ଦ୍ରର ଗୃହର ସମସ୍ୟା ସହିତ ସେଠାରେ ବିଦ୍ୟୁତ କରଣ ଓ ପାନୀୟଜଳ ସମସ୍ୟା ବର୍ଷ ବର୍ଷ ଧରି ଲାଗି ରହିଛି । ଏନେଇ ପ୍ରଶାସନିକ ସ୍ତରରେ ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ ପାଇଁ ବିଭିନ୍ନ ମହଲରେ ଦାବି ହୋଇଛି ।
ଇଟିଭି ଭାରତ , ବୌଦ୍ଧ