ବୌଦ୍ଧ: ବିପଦ ସଙ୍କୁଳ ଅବସ୍ଥାରେ ହୁଲି ଡଙ୍ଗାରେ ହେଉଛି ଯାତାୟତ । ଯାହା ଅତ୍ୟନ୍ତ ବିପଦପୂର୍ଣ୍ଣ । ଏଭଳି ଘଟଣା ଦେଖିବାକୁ ମିଳିଛି ବୌଦ୍ଧରେ । ବୌଦ୍ଧ ଜିଲ୍ଲା ସଦର ମହକୁମା ପୌରାଞ୍ଚଳର 13 ଓ 14 ଦୁଇଟି ଓ୍ବାର୍ଡ ମର୍ଜାକୁଦ ଦ୍ବୀପରେ ରହିଛି । ମହାନଦୀ ଗର୍ଭରେ ଏହି ମର୍ଜାକୁଦ ରହିଥିବାରୁ ବର୍ଷା ଦିନ ଆସିଲେ ଏମାନେ ବିଛିନ୍ନାଞ୍ଚଳ ଅଧିବାସୀଙ୍କ ଭଳି ଜୀବନ ବିତାଇଥାନ୍ତି ।
ବର୍ଷ ତମାମ ଦ୍ବୀପାଞ୍ଚଳବାସୀ ବୌଦ୍ଧ ସହର ଉପରେ ଦୈନନ୍ଦିନ କାମ ପାଇଁ ନିର୍ଭରଶୀଳ ଥିବା ବେଳେ ପିଡିଏସ ଚାଉଳ ପାଇଁ ସମସ୍ତଙ୍କୁ ସହରକୁ ଆସିବାକୁ ପଡିଥାଏ । ତେବେ ଯାତାୟାତ ପାଇଁ ମହାନଦୀର ହୁଲି ଡଙ୍ଗା ଏକମାତ୍ର ମାଧ୍ୟମ ହୋଇଥିବାରୁ ଏମାନେ ଅତ୍ୟନ୍ତ ବିପଦ ସଙ୍କୁଳ ଅବସ୍ଥାରେ ଯାତାୟାତ କରିଥାନ୍ତି । ଗତ ବର୍ଷ ଏଭଳି ଏକ ଡଙ୍ଗା ଓଲଟି ପଡିଥିବା ବେଳେ ଚଳିତ ବର୍ଷ ମଧ୍ୟ ଧଳପୁର ଠାରେ ମହାନଦୀରେ ଡଙ୍ଗା ବୁଡି ବାରଜଣ ଯାତ୍ରୀ ଅଳ୍ପକେ ମୃତ୍ୟୁ ମୁଖରୁ ବର୍ତ୍ତିଯାଇଥିଲେ ।
ସରକାର ଦ୍ବୀପାଞ୍ଚଳବାସୀଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି ଏକ ସଂଯୋଗକାରୀ ସେତୁ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଛନ୍ତି । ତେବେ ସେତୁ ନିର୍ମାଣ ସମ୍ପୂର୍ଣ୍ଣ ପାଇଁ ଆହୁରି ଦୁଇଟି ବର୍ଷ ଲାଗିବାକୁ ଥିବାରୁ ଦ୍ବୀପାଞ୍ଚଳବାସୀଙ୍କ ପାଇଁ ପ୍ରଶାସନ ପକ୍ଷରୁ ଲଞ୍ଚ କିମ୍ବା ବୋଟର ବ୍ୟବସ୍ଥା କରାଗଲେ ମର୍ଜାକୁଦବାସୀ ଉପକୃତ ହୁଅନ୍ତେ ବୋଲି ଚର୍ଚ୍ଚା ହେଉଛି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ