ବୌଦ୍ଧ: ସରିଛି ପାଚେରୀ ଓ କୋଠା ନିର୍ମାଣ । ଏହାସହ ମୁଖ୍ୟମନ୍ତ୍ରୀ ମଧ୍ୟ ଉଦଘାଟନ କରିସାରିଛନ୍ତି । ହେଲେ କାର୍ଯ୍ୟକ୍ଷମ ହୋଇପାରୁନି ବୌଦ୍ଧ ଜିଲ୍ଲାର ବଡବାଗବ ନିକଟସ୍ଥ ନୂତନ ଜେଲ। ଦୀର୍ଘଦିନ ଧରି ବିଭିନ୍ନ ସମସ୍ୟା ଲାଗି ରହିଥିବାରୁ ଅଧାରେ ଅଟକି ରହିଛି ଜେଲର ନିର୍ମାଣ କାର୍ଯ୍ୟ । ଏ ନେଇ ବିଭାଗୀୟ ଅଧିକାରୀଙ୍କୁ କହିବାରୁ ଅତିଶୀଘ୍ର ଏହାର କାର୍ଯ୍ୟକ୍ଷମ ହେବ ବୋଲି ସେ କହିଛନ୍ତି।
ଖବର ଅନୁୟାୟୀ, ବୌଦ୍ଧ ଜିଲ୍ଲାର ଏକ ମାତ୍ର ଜେଲ, ତାହା ପୁଣି ଉପକାରାଗାରରେ ସୀମିତ। ଜିଲ୍ଲାର କଣ୍ଟାମାଳଠାରେ ଆଉ ଏକ ଜେଲର ଆବଶ୍ୟକତା ଥିବାବେଳେ ବଡବାଗବରଠାରେ ତିଆରି ହୋଇଥିବା ନୂତନ ଜେଲକୁ ନେଇ ଏବେ ନାନା କଳ୍ପନାଜଳ୍ପନା ଲାଗିରହିଛି ।
ଗତ ଫେବୃଆରୀ ଅଠର ତାରିଖରେ ମୁଖ୍ୟମନ୍ତ୍ରୀ ଉକ୍ତ ନୂତନ ଜେଲକୁ ଉଦଘାଟନ କରିଥିଲେ ମଧ୍ୟ ଏଯାବତ ତାହା କାର୍ଯ୍ୟକାରୀ ହୋଇପାରିନାହିଁ । ନୂତନ ଜେଲ ସମୁଦାୟ ୫୨ ଏକରର ବିସ୍ତୀର୍ଣ୍ଣ ସ୍ଥାନରେ ପ୍ରାୟ ୧୨.୫ କୋଟି ଟଙ୍କା ବ୍ୟୟରେ ନିର୍ମାଣ
ହୋଇଥିଲେ ମଧ୍ୟ ଏହାର ମାନ ଓ ସୁରକ୍ଷାକୁ ନେଇ ଉଠିଛି ପ୍ରଶ୍ନବାଚୀ ।
ସେହିପରି ନୂତନ ଜେଲରେ ପର୍ଯ୍ୟାପ୍ତ ସ୍ଥାନ ଓ ସୁବିଧା ଦୃଷ୍ଟିରୁ ଏହାକୁ ଜିଲ୍ଲା ଜେଲ ଘୋଷଣା ନିହାତି ଆବଶ୍ୟକ ବୋଲି ଅଞ୍ଚଳବାସୀ ଦାବୀ କରିଛନ୍ତି । ହେଲେ ଏହି ପ୍ରସ୍ତାବ ସରକାରୀ ନାଲିଫିତା ତଳେ ରହିଯାଇଛି । ବର୍ତ୍ତମାନ ଜେଲରେ ସତର ଜଣ ଷ୍ଟାଫଙ୍କ ସହିତ ଜେଲରେ ସମୁଦାୟ ୧୩୦ଜଣ ଅନ୍ତେବାସୀଙ୍କ ସ୍ଥାନରେ ୨୭୦ ଜଣ କଏଦୀ ରହୁଛନ୍ତି ।
ଏପଟେ ବୌଦ୍ଧ ସଦର ମହକୁମାଠାରୁ ପ୍ରାୟ ବାର କିଲୋମିଟର ଦୂରରେ ନୂତନ ଜେଲ କିଭଳି ଓ କେଉଁ ପରିସ୍ଥିତିରେ ଚୟନ କରାଗଲା ତାହାକୁ ନେଇ ଚର୍ଚ୍ଚା ହେଉଛି ।ନୂତନ ଜେଲ ଏକ ପଥୁରିଆ ସ୍ଥାନରେ ନିର୍ମାଣ ହୋଇଥିବାରୁ ଏହାର ମାନ ଓ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ସ୍ଥାନୀୟ ଜନସାଧାରଣ ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ