ବୌଦ୍ଧ: ଗୋଚରଭୂମି ପାଲଟିଛି ସ୍ବାସ୍ଥ୍ୟକେନ୍ଦ୍ର । ସ୍ବାସ୍ଥ୍ୟ କ୍ଷେତ୍ରରେ ବିକାଶ ନେଇ ରାଜ୍ୟ ସରକାର ଅନେକ ଯୋଜନା କରୁଛନ୍ତି । ସେଥିପାଇଁ କୋଟିକୋଟି ଟଙ୍କା ଖର୍ଚ୍ଚ କରି ନିର୍ମାଣ କରିଛନ୍ତି ସ୍ବାସ୍ଥ୍ୟ କେନ୍ଦ୍ର । କିନ୍ତୁ ଦୁଃଖର ବିଷୟ ଉକ୍ତ କେନ୍ଦ୍ର ଗୁଡ଼ିକ କାର୍ଯ୍ୟକ୍ଷମ ନହୋଇ ଗାଈଗୋରୁଙ୍କ ଗୋଚରଭୂମିରେ ପରିଣତ ହୋଇଛି । ବୌଦ୍ଧ ଜିଲ୍ଲାର ତିନୋଟି ବ୍ଲକରେ ନବ ନିର୍ମିତ କୋଠା ଉଦଘାଟନ ହୋଇସାରିଥିବାବେଳେ ଆଜି ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହୋଇପାରିନାହିଁ ।
ବୌଦ୍ଧ ଜିଲ୍ଲାର ସ୍ବାସ୍ଥ୍ୟ ସେବାକୁ ନେଇ ବିଭିନ୍ନ କ୍ଷେତ୍ରରେ ସମସ୍ୟା ଲାଗି ରହିଛି । ଜିଲ୍ଲାରେ ପଚାଶ ପ୍ରତିଶତରୁ କମ ଡାକ୍ତର ରହିଛନ୍ତି । ବୌଦ୍ଧ ଜିଲ୍ଲା ବ୍ରାହ୍ମଣୀପାଲି, ପଦ୍ମନପୁର ଓ ଛତରଙ୍ଗ ଠାରେ ଦୀର୍ଘ ଦିନ ହେଲା ସ୍ବାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରର ନୂତନ ଗୃହ ନିର୍ମାଣ ହୋଇ ଉଦଘାଟନ ହୋଇସାରିଥିବାବେଳେ ଅଦ୍ୟାବଧି ତାହା କାର୍ଯ୍ୟକ୍ଷମ ହୋଇପାରୁ ନାହିଁ । ଫଳରେ ଗାଈଗୋରୁଙ୍କ ଚରାଭୂମି ପାଲଟିଛି । ଯାହାକୁ ନେଇ ସାଧାରଣରେ ଅନେକ ପ୍ରଶ୍ନ ସୃଷ୍ଟି ହୋଇଛି । ତିନୋଟି ବ୍ଲକର ଏଭଳି ଅନେକ ଉପାନ୍ତ ତଥା ଦୁର୍ଗମ ଅଞ୍ଚଳ ରହିଛି ଯେଉଁଠି ସ୍ବାସ୍ଥ୍ୟ ସେବା ଅପହଞ୍ଚ ହେବା ସହିତ ଆମ୍ବୁଲାନ୍ସ ଖଣ୍ଡେ ପହଞ୍ଚି ପାରୁନାହିଁ ।
ବିଶେଷ ଭାବରେ ହରଭଙ୍ଗା ବ୍ଲକର ଆଢେଣୀଗଡ, ତଳଗାଁ, କୁଶଙ୍ଗ, ମହାଲିକପଡା, ବୌଦ୍ଧ ବ୍ଲକର ଟିକରପଡା, ଆମ୍ବଝରୀ, ଗୁନ୍ଦୁଳିଆ, ଶଗଡା ଓ କଣ୍ଟାମାଳ ବ୍ଲକର ଲମ୍ବସରୀ, ନାରାୟଣ ପ୍ରସାଦ, ବରଗାଁ, ଆମ୍ବଗାଁ ଭଳି ଅନେକ ପଞ୍ଚାୟତର ଦୁର୍ଗମ ଅଞ୍ଚଳରେ ସ୍ବାସ୍ଥ୍ୟ ସେବାକୁ ନେଇ ସମସ୍ୟା ଲାଗି ରହିଛି । ତେବେ ଚଳିତ ସପ୍ତାହରେ ବୌଦ୍ଧ ଜିଲ୍ଲାପାଳ ସତ୍ୟ ରଞ୍ଜନ ସାହୁ ବାଉଁଶୁଣୀ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ପୋଷ୍ୟ ଭାବରେ ଗ୍ରହଣ କରି ସ୍ବାସ୍ଥ୍ୟ ସେବାରେ ସୁଧାର ଆଣିବାକୁ ପ୍ରଚେଷ୍ଟା କରିଛନ୍ତି । ସେହିପରି ଦୀର୍ଘ ଦିନ ହେଲା ପରିତ୍ୟକ୍ତ ହୋଇପଡିଥିବା କୋଭିଡ କେୟାର ପରିସରକୁ ରବିବାର ବୌଦ୍ଧ ଅତିରିକ୍ତ ଜିଲ୍ଲାପାଳ ବବିତା ରାଣୀ ଦଳବେହେରା ସମେତ ଅନେକ ପ୍ରଶାସନିକ ଅଧିକାରୀ ପ୍ରମୁଖ ପରିଦର୍ଶନ କରି ପରିସରକୁ ସଫା କରିଥିଲେ ।
ଏହା ମଧ୍ୟ ପଢ଼ନ୍ତୁ: ନିର୍ବାହୀଙ୍କ ଅଧିକାରୀଙ୍କ ଉପରକୁ ଫାଇଲ ଫିଙ୍ଗିବା ଘଟଣା, ପୌରାଧ୍ୟକ୍ଷାଙ୍କ ନାଁରେ ଏତଲା
ସେପଟେ ହରଭଙ୍ଗା ସ୍ବାସ୍ଥ୍ୟ କେନ୍ଦ୍ରକୁ ଦୀର୍ଘ ବର୍ଷ ହେଲା ଅଞ୍ଚଳବାସୀ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ପରିଣତ ପାଇଁ ଦାବି କରି ଆସୁଥିଲେ ସୁଦ୍ଧା କୌଣସି ସୁଫଳ ମିଳିନାହିଁ । ଜିଲ୍ଲା ମୁଖ୍ୟ ଡାକ୍ତରଖାନା ସମେତ ମନମୁଣ୍ଡା ଓ କଣ୍ଟାମାଳ ଡାକ୍ତରଖାନାରେ ଡାକ୍ତର ଅଭାବରୁ ସ୍ବାସ୍ଥ୍ୟସେବାରେ ବ୍ୟାପକ ସମସ୍ୟା ସୃଷ୍ଟି ହେଉଛି । ଏ ସମ୍ପର୍କରେ ଖୋଦ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା କଣ୍ଟାମାଳ ବିଧାୟକ ଉଦବେଗ ପ୍ରକାଶ କରି କହିଛନ୍ତି, "ନିର୍ମାଣଧିନ କୋଠା ଗୁଡ଼ିକର କାର୍ଯ୍ୟ 15 ଦିନ ମଧ୍ୟରେ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି । ମନମୁଣ୍ଡାରେ ଡାକ୍ତର ସମସ୍ୟା ନେଇ ଆଲୋଚନା କରାଯାଇଛି । ଖୁବଶୀଘ୍ର ଏହାର ସମାଧାନ ହେବ ।"
ଇଟିଭି ଭାରତ, ବୌଦ୍ଧ