ବୌଦ୍ଧ: ଜିଲ୍ଲାର ଏନଏସି ଅଧିନରେ ଥିବା ମାର୍କେଟ କମ୍ଲେକ୍ସ ପାଲଟିଛି ଅସାମାଜିକ ବ୍ୟକ୍ତିଙ୍କ ଆଡ୍ଡାସ୍ଥଳୀ । ଗୁରୁବାର ଏସମ୍ପର୍କରେ ଅଭିଯୋଗ ମିଳିବା ପରେ ଖୋଦ ଜିଲ୍ଲାପାଳ ମଧ୍ୟ ଗଭୀର ଉଦବେଗ ପ୍ରକାଶ କରି ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।
ବୌଦ୍ଧ ସହରର ପ୍ରମୁଖ ଛକ ଏନଏସି ଛକରେ ଥିବା ମାର୍କେଟ କମ୍ଲେକ୍ସ ଅସାମାଜିକ ବ୍ୟକ୍ତିଙ୍କ ଆଡ୍ଡାସ୍ଥଳୀ ପାଲଟିଥିବା ଅଭିଯୋଗ ହୋଇଛି । ଗୁରୁବାର ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ସମୟରେ ଉକ୍ତ ସ୍ଥାନରେ ଦୋକାନ କରିଥିବା କିଛି ଦୋକାନୀ ଆସି ଏସମ୍ପର୍କରେ ଅଭିଯୋଗ କରିଥିଲେ ।
ତାଙ୍କ ଅଭିଯୋଗ ମୁତାବକ, ଏକ ବର୍ଷରୁ ଉର୍ଦ୍ଧ୍ବ ସମୟ ହେଲା ଦୋକାନ ଗୃହ ଆବଣ୍ଟନ ହୋଇସାରିଥିଲେ ସୁଦ୍ଧା ଦୋକାନ ଖୋଲା ଯାଉ ନଥିବାରୁ ଉକ୍ତ ଅଞ୍ଚଳ ଅସାମାଜିକ ଓ ମଦ୍ୟପଙ୍କ ଆଡ୍ଡାସ୍ଥଳୀ ସହିତ ଆବର୍ଜନା କୁଣ୍ଡରେ ପରିଣତ ହୋଇଛି ।
ଅଭିଯୋଗ ପରେ ଖୋଦ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ଏନେଇ ଗଭୀର ଉଦବେଗ ପ୍ରକାଶ କରିବା ସହ ଏଦିଗରେ ଦୃଢ ପଦକ୍ଷେପ ଗ୍ରହଣ କରିବାକୁ ପୌର ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଯେଉଁମାନେ ଦୀର୍ଘଦିନ ଧରି ଦୋକାନଗୃହ ଖୋଲୁ ନାହାନ୍ତି, ସେମାନଙ୍କୁ ନୋଟିସ କରାଯାଇ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ପୌର ଅଧିକାରୀ କହିଛନ୍ତି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ