ବୌଦ୍ଧ: ଜିଲ୍ଲାରେ ପହଞ୍ଚିଲା ମୌସୁମୀ ବର୍ଷା । ବର୍ଷା ଯୋଗୁଁ ବିଶେଷ ପ୍ରଭାବିତ ହୋଇଛନ୍ତି ରବି ଧାନ କରିଥିବା ଚାଷୀ । ସେପଟେ ମୌସୁମୀ ବର୍ଷା ଆରମ୍ଭରେ ବଜ୍ରପାତରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।
ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ ମୌସୁମୀ ପ୍ରଭାବରେ ଗତ ତିନି ଦିନ ହେଲା ମେଘୁଆ ପାଗ ଲାଗି ରହିଥିବା ବେଳେ କାଁ ଭାଁ କେଉଁଠି ବର୍ଷା ହୋଇଥିଲା । କିନ୍ତୁ ରବିବାର ବୌଦ୍ଧ ଜିଲ୍ଲାର କଣ୍ଟାମାଳ ବ୍ଲକର ବିଭିନ୍ନ ସ୍ଥାନରେ ମୌସୁମୀ ବର୍ଷା ଆରମ୍ଭ ହୋଇଛି । ଅପରାହ୍ନରେ ପ୍ରବଳ ଘଡଘଡି ସାଙ୍ଗକୁ ବର୍ଷା ହୋଇଥିବା ବେଳେ ବଜ୍ରପାତରେ ଲୋକାପଡା ଗ୍ରାମର ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ସେପଟେ ମୌସୁମୀ ବର୍ଷା ଯୋଗୁଁ ଜିଲ୍ଲାର 23 ଗୋଟି ସମବାୟ ସମିତିର 24 ଗୋଟି ରବିଧାନ କ୍ରୟ କେନ୍ଦ୍ରରେ ଧାନ ବିକ୍ରି ପାଇଁ ଆଶା କରିଥିବା ଚାଷୀ ସଙ୍କଟରେ ପଡିଛି । ଟାର୍ଗେଟ ଅଭାବରୁ ସମସ୍ତ ଧାନକ୍ରୟ କେନ୍ଦ୍ର ଆଗରେ ଧାନ ବସ୍ତା ସବୁ ପଡିରହିଛି ।
ଗୋଟିଏ ପଟରେ ମୌସୁମୀ ବର୍ଷା ଆରମ୍ଭ ହୋଇସାରିଥିବା ବେଳେ ଅନ୍ୟ ପଟରେ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଉଥିବାରୁ ଅନଲକକୁ ନେଇ ଜିଲ୍ଲାବାସୀ ବେଶ ଆଶାବାଦୀ ଅଛନ୍ତି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ