ବୌଦ୍ଧ : ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ବୌଦ୍ଧ ସ୍ଥିତି ବେହାଲ ହୋଇପଡିଛି । ଚଳିତ ବନ୍ୟାରେ ବିଭିନ୍ନ ନଦୀରେ ବନ୍ୟା ଯୋଗୁଁ ନଦୀ କୂଳିଆ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା । ଅନେକ ରାସ୍ତାଘାଟ ଧୋଇନେବା ସହିତ କେତେକ ସ୍ଥାନରେ ଘାଇ ସୃଷ୍ଟି ହୋଇଛି । ଏହି କ୍ରମରେ ବୌଦ୍ଧ ଜିଲ୍ଲାର ହରଭଙ୍ଗା ବ୍ଲକରେ ଚଳିତ ବର୍ଷ ବନ୍ୟା ଯୋଗୁଁ ବ୍ୟାପକ ଫସଲ ନଷ୍ଟ ହୋଇଥିବା ସୂଚନା ମିଳିଛି ।
ସେହିପରି ଜିଲ୍ଲାର କଣ୍ଟାମାଳ ନିର୍ବାଚନ ମଣ୍ଡଳୀରେ ମହାନଦୀ ସହିତ ତେଲନଦୀ, ବାଘନଦୀ ଓ ଖଡଙ୍ଗ ନଦୀ ଭଳି ଅନେକ ନଦୀନାଳରେ ବନ୍ୟା ଜଳ ଆସି ଅନେକ କ୍ଷତି ହୋଇଛି । ଅନେକ ସ୍ଥାନରେ ଗରିବ ଲୋକଙ୍କ ଚାଳମାଟି ଘର ଭୁଶୁଡ଼ି ପଡିଥିବା ବେଳେ ଅନେକ ରାସ୍ତାଘାଟ ଧୋଇଯାଇଛି । ବନ୍ୟା ଆସି ହଜାର ହଜାର ଏକର ଚାଷଜମି ବାଲିଚର ହେବାସହ ଓ ପନିପରିବା ଚାଷ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି । ଏହାଛଡା ଅନେକ ସ୍ଥାନରେ ରାସ୍ତା ଧୋଇ ହୋଇଯିବା ସହିତ ମହାନଦୀ କୂଳର କେତେକ ସ୍ଥାନରେ ଘାଇ ସୃଷ୍ଟି ହୋଇଛି । ବିଶେଷ ଭାବରେ କଣ୍ଟାମାଳ ବ୍ଲକର ଫାସେଡ ଠାରୁ ଘଣ୍ଟାପଡା ଓ କଣ୍ଟାମାଳ ଠାରୁ ମନମୁଣ୍ଡା ପର୍ଯ୍ୟନ୍ତ ଯାଇଥିବା ତେଲନଦୀ କୂଳର ଅନେକ ସ୍ଥାନରେ କ୍ଷତି ହୋଇଛି ।
ଏହାଛଡା ବାଉଁଶୁଣୀର ଘିଙ୍ଗରାପଡା ଠାରେ ତିରିଶ ଫୁଟର ଘାଇ ଯୋଗୁଁ ମହାନଦୀ କୂଳରେ ବସବାସ କରୁଥିବା ଅନେକ ପରିବାର ସମେତ ବାଉଁଶୁଣୀର ପ୍ରସିଦ୍ଧ ଶୈବପୀଠ ପ୍ରତି ବିପଦ ସୃଷ୍ଟି ହୋଇଛି । ଏଥିସହିତ ବାଉଁଶୁଣୀ ଠାରେ ଦୀର୍ଘ ଦିନରୁ ମହାନଦୀ ଉପରେ ଏକ ସେତୁ ନିର୍ମାଣ ପାଇଁ ଦାବି ହୋଇ ଆସୁଥିବାରୁ ଏନେଇ କଣ୍ଟାମାଳ ବିଧାୟକ ମହୀଧର ରଣା କହିଛନ୍ତି, " ଲଗାଣ ବର୍ଷା ଯୋଗୁଁ ବନ୍ୟା ପ୍ରଭାବରେ ଆମର ତେଲ ନଦୀ, ଖଡ଼ଙ୍ଗ ନଦୀରେ ବନ୍ୟା ଆସିବା ଯୋଗୁଁ ନଦୀ କୂଳରେ ବସବାସ କରୁଥିବା ଲୋକଙ୍କ କ୍ଷୟକ୍ଷତି ହୋଇଛି । ଏନେଇ ରାଜ୍ୟ ସରକାରଙ୍କୁ ଅବଗତ କରାଯାଇଛି । ଏହାର କ୍ଷୟକ୍ଷତି ପାଇଁ ସରକାର ଘୋଷଣା କରିବେ ଏବଂ ଅନୁଦାନ ଦେବେ ତାର ମରାମତି ହେବ କିମ୍ବା ତାପୂର୍ବରୁ ମଧ୍ୟ ଆମେ ଚେଷ୍ଟା କରୁଛୁ ତାର ମରାମତି କରାଯିବ ପାଇଁ । ବାଉଁଶୁଣୀ ଠାରେ ମହାନଦୀ ଉପରେ ଏକ ସେତୁ ନିର୍ମାଣ ପାଇଁ ମୁଁ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛି । ସରକାର ଏହାର ଷ୍ଟାଟସ୍ ରିପୋର୍ଟ ମାଗିଛନ୍ତି । ଏହା ଏବେ ସରକାରଙ୍କ ବିଚାରାଧୀନ ରହିଛି । ସେପଟେ ଲୋକଙ୍କ ଅସୁବିଧା ସଂପର୍କରେ ଆମେ ଏସଆର୍ସିଙ୍କୁ ଜଣାଇଛୁ ।"
ଇଟିଭି ଭାରତ, ବୌଦ୍ଧ