ବୌଦ୍ଧ: ତୃତୀୟ ଥର ପାଇଁ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ହେଲେ କଣ୍ଟାମାଳ ବିଧାୟକ ମହୀଧର ରଣା । ରବିବାର ବିଧାୟକ ମହୀଧରଙ୍କୁ ଏନେଇ ବିଭିନ୍ନ ମହଲରୁ ସ୍ବାଗତ କରାଯାଇଥିଲା । ପରେ ଗାନ୍ଧୀ ଜୟନ୍ତୀ ଅବସରରେ କଣ୍ଟାମାଳ ନିର୍ବାଚନ ମଣ୍ଡଳୀରେ ପଦଯାତ୍ରା ଆରମ୍ଭ ହୋଇଥିଲା । ବୌଦ୍ଧ ଜିଲ୍ଲାର ନୂତନ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଭାବରେ ମହୀଧରଙ୍କ ନାଁ ଘୋଷଣା ହେବାପରେ କଣ୍ଟାମାଳ ନିର୍ବାଚନ ମଣ୍ଡଳୀରେ ଖୁସିର ଲହରୀ ଖେଳିଯାଇଛି ।
ମହୀଧରଙ୍କୁ ବିଭିନ୍ନ ମହଲରୁ ସ୍ବାଗତ କରାଯଇଥିବା ବେଳେ ସାହାଜପାଲ ଠାରୁ ଘଣ୍ଟାପଡା ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ତାଙ୍କୁ ବିପୁଳ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଗତକାଲି ମଧ୍ୟ ଜାତିର ପିତା ମହାତ୍ମାଗାନ୍ଧୀଙ୍କ ଜୟନ୍ତୀରେ ବିଜୁ ଜନତା ଦଳ ପକ୍ଷରୁ ବିଭିନ୍ନ ଗ୍ରାମକୁ ପଦଯାତ୍ରାର ଆରମ୍ଭ କରାଯାଇଥିଲା । ଏହି ଅବସରରେ ରାଜ୍ୟ ସରକାରଙ୍କ ବିକାଶମୂଳକ ଯୋଜନା ସମ୍ପର୍କରେ ଅବଗତ କରାଯାଇଥିଲା । ତେବେ ଲଗାତାର ତୃତୀୟ ଥର ପାଇଁ ମହୀଧର ରଣା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ପଦ ପାଇଥିବାରୁ ସେ ଏଥିନିମନ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅଶେଷ କୃତଜ୍ଞତା ଜ୍ଞାପନ କରିଛନ୍ତି ।
ଇଟିଭି ଭାରତ, ବୌଦ୍ଧ