ବୌଦ୍ଧ: ଦେବ ଦେବ ମହାଦେବଙ୍କ ଜାଗର ଯାତ୍ରା ପାଇଁ ଚଳଚଞ୍ଚଳ ବୌଦ୍ଧ ଜିଲ୍ଲାର ବିଭିନ୍ନ ଶୈବପୀଠ। ନୀଳକଣ୍ଠ ପ୍ରଭୁଙ୍କ ଦର୍ଶନ ପାଇଁ ଆଜି ପ୍ରତ୍ୟୁଷରୁ ଲାଗିଛି ବିଭିନ୍ନ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼। ଭିଡ଼କୁ ଦୃଷ୍ଟିରେ ରଖି ମନ୍ଦିର ଟ୍ରଷ୍ଟ, ପୋଲିସ ଓ ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି।
ସୂଚନା ଥାଉ କି, ତେଲନଦୀ ଓ ମହାନଦୀ କୂଳରେ ଥିବା ବିଭିନ୍ନ ଶୈବପୀଠରେ ସକାଳୁ ଭକ୍ତ ଓ ଶ୍ରଦ୍ଧାଳୁ ମାନେ ପହଞ୍ଚି ଭୋଲାବାବାଙ୍କ ଦର୍ଶନ କରିଥିଲେ। ବିଶେଷ କରି ଜିଲ୍ଲାର ରାମେଶ୍ୱର ମନ୍ଦିର ଓ ଗନ୍ଧରାଡିର ହରିହର ମନ୍ଦିରରେ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଥିଲା । ଉଭୟ ମନ୍ଦିର କେନ୍ଦ୍ର ପତ୍ନତତ୍ତ୍ବ ବିଭାଗ ଅଧିନରେ ରହିଥିବା ବେଳେ ଦୁଇ ପୀଠର ଆଧ୍ୟାତ୍ମିକ ମହତ୍ତ୍ଵ ଓ ଐତିହାସିକ ମହତ୍ତ୍ଵ ଯଥେଷ୍ଟ ଭାବରେ ରହିଛି।
ରାମେଶ୍ୱର ମନ୍ଦିର ତ୍ରୟ ସ୍ବତନ୍ତ୍ର ଲାଲି ପଥରର ଅତ୍ୟନ୍ତ ନିଖୁଣ କାରିଗରୀର ଚିତ୍ରକଳା ସହିତ ତନ୍ତ୍ର ସାଧନାର ପୃଷ୍ଠଭୂମି ଉପରେ ପ୍ରାଚୀନ କାଳରୁ ରହିଆସିଛି। ଏହାର ପରିସରରେ ଅଧାଗଢା ରାମେଶ୍ବର ମୁଖ୍ୟ ମନ୍ଦିର ସହିତ ବୁଦ୍ଧ, ତାରା,ଉଗ୍ରତାରା,ବିଷ୍ଣୁ, ଦୁର୍ଗାଙ୍କ ପ୍ରତିମାକୁ ସ୍ବତନ୍ତ୍ର ଭାବରେ ପୂଜାର୍ଚ୍ଚନା କରାଯାଇଥାଏ ।
ସେହିପରି ଗନ୍ଧରାଡିର ଚାରିଶମ୍ଭୁ ମନ୍ଦିର ବିଶ୍ୱର ବିରଳ ମନ୍ଦିର ଭାବରେ ବିବେଚନା କରାଯାଏ । କାରଣ ଏଠାରେ ଗୋଟିଏ ମଣ୍ଡପ ଉପରେ ପ୍ରଭୁ ସିଦ୍ଧେଶ୍ବର ଓ ପ୍ରଭୁ ନୀଳମାଧବଙ୍କ ଦୁଇଟି ମନ୍ଦିର ଜାଆଁଳା ମନ୍ଦିର ଭାବରେ ଦଣ୍ଡାୟମାନ । ଖ୍ରୀଷ୍ଟାବ୍ଦ ଅଷ୍ଟମ ଶତାବ୍ଦୀରେ ଶତ୍ରୁ ଭଞ୍ଜଦେବ ଗନ୍ଧଟ ଏହି ମନ୍ଦିର ଦ୍ବୟର ନିର୍ମାତା ବୋଲି ବିବେଚନା କରାଯାଏ । ସିଦ୍ଧେଶ୍ବର ମନ୍ଦିର ଚୂଡାରେ ତ୍ରିଶୂଳ ସ୍ଥାପିତ ନହୋଇ ସେଠାରେ ଆକାଶ ଜ୍ୟୋତି ଲିଙ୍ଗ ରହିଥିବା ବେଳେ ନୀଳମାଧବ ମନ୍ଦିର ଶିଖରରେ ପଥରର ନୀଳଚକ୍ର ମଧ୍ୟରେ ଅନନ୍ତ ଶୟନ ବିଷ୍ଣୁଙ୍କ ପ୍ରତିମା ସ୍ଥାପନ ହୋଇଛି । ଯାହାକି ସାରା ବିଶ୍ବରେ ବିରଳ ।
ତେବେ ଉଭୟ ଶୈବପୀଠରେ ମାଳୀ ସଂପ୍ରଦାୟର ପୂଜକ ସେବାୟତ ଭାବେ ରହିଥିବା ବେଳେ ଜାଗର ଯାତ୍ରା ପାଇଁ ସ୍ବତନ୍ତ୍ର ରୀତିନୀତି ରେ ଠାକୁରଙ୍କ ପୂଜାର୍ଚ୍ଚନା କରାଯାଇଥାଏ । ମନ୍ଦିର ଦ୍ବୟ କେବଳ ବୌଦ୍ଧ ଜିଲ୍ଲା ନୁହେଁ ସାରା ଓଡ଼ିଶାର ଐତିହାସିକ କ୍ଷେତ୍ରରେ ନିଜର ସ୍ବତନ୍ତ୍ର ସ୍ଥାନ ଅଧିକାର କରିଆସିଛି । ଏଣୁ ଆଜିର ଦିନରେ ଏଠାରେ ଜିଲ୍ଲାର କୋଣ ଅନୁକୋଣରୁ ବହୁ ଶ୍ରଦ୍ଧାଳୁଙ୍କ ସମାଗମ ଦେଖିବାକୁ ମିଳିଥାଏ।
ଇଟିଭି ଭାରତ, ବୌଦ୍ଧ