ବୌଦ୍ଧ: ମହାନଦୀରେ ଆୟୋଜିତ ତୃତୀୟ ମହାନଦୀ ଉତ୍ସବରେ ମହା ଆଳତୀ ହେଲା ଆକର୍ଷଣର କେନ୍ଦ୍ର ବିନ୍ଦୁ । ମହାନଦୀର ସୁରକ୍ଷା ତଥା ସ୍ବଛତା ପାଇଁ ଏହି ଅବସରରେ ଆହ୍ବାନ ଦିଆଯାଇଛି । ବୌଦ୍ଧ ଜିଲ୍ଲା ତେଲିବନ୍ଧ ପଞ୍ଚାୟତ ଅନ୍ତର୍ଗତ ସୁବର୍ଣ୍ଣପୁର ଗ୍ରାମ ନିକଟସ୍ଥ ମହାନଦୀର ଗର୍ଭ ମଧ୍ୟରେ ଆୟୋଜିତ ଏହି ଉତ୍ସବ ଉଭୟ ପର୍ଯ୍ୟଟକ ଓ ଶ୍ରଦ୍ଧାଳୁଙ୍କ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଥିଲା ।
ତେବେ ଚତୁଃପାର୍ଶ୍ବର ନୀଳ ଜଳରାଶି ମଧ୍ୟରେ ଭିନ୍ନ ଏକ ବାଲିଯାତ୍ରାର ଭ୍ରମ ସୃଷ୍ଟି କରୁଥିବା ଏହି ମହାନଦୀ ଉତ୍ସବରେ ଯୋଗ ଦେବା ପାଇଁ ବହୁ ଦୂର ଦୂରାନ୍ତରୁ ଶ୍ରଦ୍ଧାଳୁ ଓ ପର୍ଯ୍ୟଟକ ନୌକାରେ ପାରି ଆସୁଛନ୍ତି । ଏହି ଉତ୍ସବରେ ବ୍ୟବସାୟର ପସରା ମେଲିବା ସହ ସାଧୁ ସନ୍ଥଙ୍କ ଆଧ୍ୟାତ୍ମିକ ବାଣୀ ଶୁଣିବାକୁ ମିଳୁଛି । ତେବେ ଏହି ସ୍ଥାନ ସହିତ ଗନ୍ଧରାଡିର ବିଶ୍ବ ପ୍ରସିଦ୍ଧ ହରିହର ମନ୍ଦିରର ପ୍ରଚାର ଓ ବିଶେଷ ଭାବରେ ମହାନଦୀର ସୁରକ୍ଷା ତଥା ସ୍ବଛତା ପାଇଁ ସମସ୍ତଙ୍କୁ ଏହି ଅବସରରେ ଆହ୍ବାନ ଦିଆଯାଇଥିଲା ।
ବୌଦ୍ଧରୁ ସତ୍ୟନାରାୟଣ ପାଣି, ଇଟିଭି ଭାରତ