ବୌଦ୍ଧ: ଜିଲ୍ଲାରେ ପଥର କ୍ରସରକୁ ପ୍ରଶାସନ ପକ୍ଷରୁ ଗତବର୍ଷ ବନ୍ଦ କରାଯାଇଥିବା ବେଳେ ପୁନଃ ଚାଲୁ କରିବାକୁ ନିଷ୍ପତ୍ତି ନେଇଛି ପ୍ରଶାସନ । ଏହାକୁ ବିରୋଧ କରି ରାଜରାସ୍ତାକୁ ଓହ୍ଲାଇଛନ୍ତି ଅଞ୍ଚଳବାସୀ । ହରଭଙ୍ଗା ତହସିଲ ଅନ୍ତର୍ଗତ ଖରଭୁଇଁ ଠାରେ ଥିବା ଏକାଧିକ ପଥର କ୍ରସର ଗତବର୍ଷ ଜିଲ୍ଲା ପ୍ରଶାସନ ଦ୍ବାରା ବନ୍ଦ କରାଯାଇଥିଲା । ପରିବେଶ ପ୍ରଦୂଷଣ ଓ ଅଞ୍ଚଳବାସୀଙ୍କ ବାରମ୍ବାର ଦାବି ପରେ ଏହା ବନ୍ଦ ହୋଇଥିଲା । କିନ୍ତୁ ହଠାତ ଜିଲ୍ଲାପାଳଙ୍କ ଅବସର ଗ୍ରହଣର କିଛି ଘଣ୍ଟା ପୂର୍ବରୁ ପୁଣିଥରେ ଉକ୍ତ କ୍ରସର ଚାଲୁ ପାଇଁ ନିଷ୍ପତ୍ତି ନେଇଛି ପ୍ରଶାସନ ।
ପ୍ରଶାସନର ଏହି ନିଷ୍ପତ୍ତିକୁ ବିରୋଧରେ ତୀବ୍ର ଜନ ଅସନ୍ତୋଷ ପ୍ରକାଶ ପାଇଛି । ଖରଭୁଇଁ ଅଞ୍ଚଳର ଶହ ଶହ ମହିଳା, ପୁରୁଷ ଓ ଛାତ୍ରଛାତ୍ରୀ ବୌଦ୍ଧ ଠାରେ ଏକ ବିଶାଳ ବିକ୍ଷୋଭ ଶୋଭାଯାତ୍ରା କରି ଏନେଇ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ପ୍ରଶାସନର ନିଷ୍ପତ୍ତି ପୁନର୍ବିଚାର କରି ଉକ୍ତ କ୍ରସର ସବୁ ବନ୍ଦ କରାନଗଲେ ଆନ୍ଦୋଳନକୁ ଆହୁରି ଜୋରଦାର କରାଯିବ ବୋଲି ଆନ୍ଦୋଳନକାରୀ ଚେତାବନୀ ଦେଇଛନ୍ତି ।
ଏନେଇ ଜିଲ୍ଲାପାଳ କହିଛନ୍ତି ଯେ, "ଜିଲ୍ଲାରେ ପଥରର ଅଭାବୀ ହେତୁ ଅନେକ ବିକାଶମୂଳକ କାର୍ଯ୍ୟ ଅଟକି ରହିଛି । ଲୋକଙ୍କ ସମସ୍ୟାକୁ ମଧ୍ୟ ଆମେ ଦୃଷ୍ଟି ଦେବୁ । ଦୁଇ ପକ୍ଷକୁ ଦୃଷ୍ଟିରେ ରଖି ଆମେ ଉଚିତ ପଦକ୍ଷେପ ଗ୍ରହଣ କରିବୁ ।"
ଇଟିଭି ଭାରତ, ବୌଦ୍ଧ