ବୌଦ୍ଧ: ଜିଲ୍ଲାର ଅନ୍ୟତମ ବାଣିଜ୍ୟିକ ପେଣ୍ଠସ୍ଥଳ ବାଉଁଶୁଣୀ । ଐତିହାସିକ ତଥା ବାଣିଜ୍ୟିକ ପେଣ୍ଠ ସ୍ଥଳର ସମାଧାନ ପାଇଁ ବାରମ୍ବାର ଦାବି କରାଯାଇଥିଲେ ସୁଦ୍ଧା ସମସ୍ୟାର ସମାଧାନ ହୋଇପାରୁ ନଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇବା ସହ ଆଗାମୀ ଦିନରେ ଆନ୍ଦୋଳନ କରିବା ପାଇଁ ଚେତାବନୀ ଦେଇଛନ୍ତି ଅଞ୍ଚଳବାସୀ ।
ବାଉଁଶୁଣୀ ଗୋଟିଏ ପଞ୍ଚାୟତ ହୋଇଥିଲେ ମଧ୍ୟ ସ୍ବାସ୍ଥ୍ୟ ସେବା, ପୋଲିସ ସେବା, ଗମନାଗମନ ଓ ବାଣିଜ୍ୟ ଦୃଷ୍ଟି କୋଣରୁ ପାଞ୍ଚରୁ ଊର୍ଦ୍ଧ୍ବ ପଞ୍ଚାୟତବାସୀ ବାଉଁଶୁଣୀ ଉପରେ ନିର୍ଭରଶୀଳ । ବାଘନଦୀ ଓମହାନଦୀର ସଙ୍ଗମ ସ୍ଥଳରେ ଅବସ୍ଥିତ ବାଉଁଶୁଣୀ ଅଞ୍ଚଳରେ ନଦୀକୂଳ ଲଙ୍ଘି ଏକ ବିପଦପୂର୍ଣ୍ଣ ସ୍ଥାନ ହୋଇଯାଇଛି । ଏପରିକି ଦ୍ବାଦଶ ଶତାବ୍ଦୀର ଶୈବପୀଠ ପ୍ରତି ମଧ୍ୟ ବିପଦ ସୃଷ୍ଟି ହୋଇଛି । ବାଉଁଶୁଣୀ ଦେଇ 57 ନମ୍ବର ଜାତୀୟ ରାଜପଥ ଯାଇଥିବା ବେଳେ ଏଠାରେ ବାଇପାସ ରାସ୍ତାର ଯଥେଷ୍ଟ ଆବଶ୍ୟକତା ରହିଛି । ବାଉଁଶୁଣୀରେ ଜବରଦଖଲ ସମସ୍ୟା ଓ ଥଇଥାନ ସମସ୍ୟା ସହିତ ବସଷ୍ଟାଣ୍ଡ, ଯାତ୍ରୀ ବିଶ୍ରାମଗାର, ବନୀକରଣ, ଟସର ଶିଳ୍ପ, ଗମନାଗମନ ଭଳି ସମସ୍ୟାର ଲମ୍ବା ତାଲିକା ରହିଛି । ଏନେଇ ବାରମ୍ବାର ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ । ଏପରିକି ବାଉଁଶୁଣୀ ଠାରୁ ବୀରମହାରାଜପୁରକୁ ସଂଯୋଗ ପାଇଁ ମହାନଦୀ ଉପରେ ଏକ ସେତୁ ନିର୍ମାଣ ପାଇଁ ଦୀର୍ଘ ବର୍ଷରୁ ଦାବି ହୋଇ ଆସୁଥିବା ବେଳେ କଣ୍ଟାମାଳ ବିଧାୟକଙ୍କ ବୟାନକୁ ନେଇ ଅଞ୍ଚଳରେ ଭିନ୍ନ ଭିନ୍ନ ମତ ପ୍ରକାଶ ପାଇଛି ।
ଏହା ମଧ୍ୟ ପଢନ୍ତୁ: MCD Poll: ଆଜି MCD ଜନାଦେଶ, କିଏ ମାରିବ ବାଜି
ବାଉଁଶୁଣୀକୁ ଏନଏସିର ମାନ୍ୟତା ସହିତ ମହାନଦୀ ସେତୁ ପ୍ରସଙ୍ଗ ସମ୍ପର୍କରେ କୌଣସି ସଠିକ ତଥ୍ୟ ମିଳିପାରୁ ନାହିଁ । ସମସ୍ୟା ଜର୍ଜରିତ ବାଉଁଶୁଣୀର ବାଘନଦୀ କୂଳରେ ଥିବା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଅତିପ୍ରିୟ ଡାକ ବଙ୍ଗଳାଟି ମଧ୍ୟ ଧ୍ୱଂସ ପ୍ରାୟ ଅବସ୍ଥାରେ ପହଞ୍ଚିଛି । ତେବେ ବାରମ୍ବାର ବାଉଁଶୁଣୀ ଅଞ୍ଚଳବାସୀ, ନାଗରିକ କମିଟି ସମସ୍ୟା ନେଇ ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ମିଳୁନଥିବା ଯୋଗୁଁ ଏନେଇ ସ୍ଥାନୀୟ ଜିଲ୍ଲା ପରିଷଦ ସଭ୍ୟ ଗଭୀର ଅସନ୍ତୋଷ ପ୍ରକାଶ କରିବା ସହ ଆନ୍ଦୋଳନ ମାଧ୍ୟମରେ ଦାବି ଉପସ୍ଥାପନ କରାଯିବ ବୋଲି ଚେତାବନୀ ଦେଇଛନ୍ତି ।
ଇଟିଭି ଭାରତ, ବୌଦ୍ଧ