ବୌଦ୍ଧ: ସିଟିଟିଭିରେ କଏଦ ହେଲା ଲାଇଭ ଲୁଟ୍ ର ଦୃଶ୍ୟ । ବ୍ୟାଙ୍କରୁ ଟଙ୍କା ଉଠାଇ ଫେରୁଥିବାବେଳେ ବାଇକ ଡିକି ଭାଙ୍ଗି ଲୁଟିନେଲେ ଦୁର୍ବୃତ୍ତ । ତେବେ ଲୁଟ୍ ର ସମସ୍ତ ଘଟଣା ସିସିଟିଭି କ୍ୟାମେରାରେ କଏଦ ହୋଇଥିବା ବେଳେ ପୋଲିସ ତଦନ୍ତ ଆରମ୍ଭ କରିଛି ।
ସୂଚନା ମୁତାବକ ବୌଦ୍ଧ ଜିଲ୍ଲା ବଘିଆପଡା ପଞ୍ଚାୟତ ଅନ୍ତର୍ଗତ ଖୁଣ୍ଟିଆପଡା ଗାଁର ଜଣେ ଗରିବ ଚାଷୀ ରବିଧାନକୁ ବଘିଆପଡା ମଣ୍ଡିରେ ଦେଇଥିଲେ । ଧାନର ଅର୍ଥ ସମବାୟ ବ୍ୟାଙ୍କ ଆକାଉଣ୍ଟରେ ଡିପୋଜିଟ ହୋଇଥିଲା । ସୋମବାର ଗରିବ ଚାଷୀ ଜଣକ ନିଜ ବାଇକରେ ବୌଦ୍ଧ ଆସି ସମବାୟ ମହିଳା ବ୍ୟାଙ୍କରୁ ଚାଳିଶ ହଜାର ଟଙ୍କା ଉଠାଇ ନିଜ ବାଇକ ଡିକିରେ ରଖି ଅଳ୍ପ ଦୂରରେ ଥିବା ଗାନ୍ଧି ଛକର ଏକ ଲୁହା ଦୋକାନରୁ କିଛି ସାମଗ୍ରୀ କିଣିଥିଲେ ।
ଏହି ସମୟରେ ବ୍ୟାଙ୍କ ଭିତରୁ ପିଛା କରୁଥିବା କିଛି ଦୁର୍ବୃତ୍ତ ଡିକିରୁ ଟଙ୍କା ନେଇ ଚମ୍ପଟ ମାରିଥିଲେ । ତେବେ ଏ ସମସ୍ତ ଘଟଣା ଲୁହା ଦୋକାନରେ ଥିବା ସିସିଟିଭିରେ ରେକଡ଼ିଂ ହୋଇଗଲା । ଘଟଣା ସମ୍ପର୍କରେ ବୌଦ୍ଧ ଥାନାରେ ଲିଖିତ ଅଭିଯୋଗ ହୋଇଥିବା ବେଳେ ପୋଲିସ ଏହାର ତଦନ୍ତ ଆରମ୍ଭ କରିଛି । ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଲା ପୂର୍ବରୁ ଅନେକ ଥର ଏଭଳି ଲୁଟ ହୋଇଥିବାର ଅଭିଯୋଗ ହୋଇଛି । ମାତ୍ର ବ୍ୟାଙ୍କ୍ କର୍ତ୍ତୃପକ୍ଷଙ୍କ ଅଣଦେଖା ହେତୁ ବ୍ୟାଙ୍କ ପରିସରରେ ଦୁର୍ବୃତ୍ତ ମାନେ ବିନା ଦ୍ବିଧାରେ ପ୍ରବେଶ କରି ଗ୍ରାହକଙ୍କ ଗତିବିଧି ଉପରେ ନଜର ରଖୁଛନ୍ତି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ