ବୌଦ୍ଧ: ରାଜ୍ୟର ପ୍ରଥମ ଜିଲ୍ଲା ଭାବରେ ବୌଦ୍ଧର ସମସ୍ତ ପଞ୍ଚାୟତରେ ପ୍ରତିଷ୍ଠା ହେଲା ଗ୍ରାମୀଣ ପାଠାଗାର ଓ ଭିଡିଓ କନଫରେନ୍ସିଂ କକ୍ଷ। ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ଭିଡିଓ କନଫରେନ୍ସିଂ ଜରିଆରେ ଏହି ପାଠାଗାରର ଉଦଘାଟନ କରିବା ସହିତ ଗ୍ରାମାଞ୍ଚଳରେ ଶିକ୍ଷାର ବିକାଶରେ ଏସବୁ ପାଠାଗାର ବିଦ୍ୟାର୍ଥିମାନଙ୍କ ପାଇଁ ଅତ୍ୟନ୍ତ ଉପଯୋଗୀ ହେବ ଵୋଲି କହିଛନ୍ତି ।
ପ୍ରଥମ ଜିଲ୍ଲା ଭାବରେ ବୌଦ୍ଧର ସମସ୍ତ ପଞ୍ଚାୟତରେ ଗ୍ରାମୀଣ ପାଠାଗାର ଓ ଭିଡିଓ କନଫରେନ୍ସିଂ କକ୍ଷର ପ୍ରତିଷ୍ଠା ହୋଇଛି । ଆଭାସି ମାଧ୍ୟମରେ ପଞ୍ଚାୟତିରାଜ ମନ୍ତ୍ରୀ ପାଠାଗାରର ଲୋକାର୍ପଣ କରିବା ସହିତ ପଞ୍ଚାୟତ ଗୁଡିକର ପାଠାଗାର ଗ୍ରାମାଞ୍ଚଳରେ ଶିକ୍ଷାର ଅଗ୍ରଗତିରେ ଯଥେଷ୍ଟ ସହାୟକ ହେବ ବୋଲି କହିଛନ୍ତି । ଜିଲ୍ଲାର ସମସ୍ତ 69 ପଞ୍ଚାୟତରେ ଗ୍ରାମୀଣ ପାଠାଗାର ଓ ଭିଡିଓ କନଫରେନ୍ସିଂ କକ୍ଷ ପ୍ରତିଷ୍ଠା କରାଯାଇଛି । ଜିଲ୍ଲାର 3ଟି ବ୍ଲକର ଅନେକ ଉପାନ୍ତ ପଞ୍ଚାୟତରେ ମେଧାବୀ ଛାତ୍ରଛାତ୍ରୀଙ୍କ ଶିକ୍ଷା ଗ୍ରହଣରେ ଏହି ପାଠାଗାର ଯଥେଷ୍ଟ ସହାୟକ ହୋଇ ପାରିବ ଆଶା ପ୍ରକାଶ ପାଇଛି । ଗ୍ରାମାଞ୍ଚଳରେ ଶିକ୍ଷାର ବିକାଶ କ୍ଷେତ୍ରରେ ଏଭଳି ପାଠାଗାରର ଯଥେଷ୍ଟ ଆବଶ୍ୟକତା ରହିଥିବା ବେଳେ ଜିଲ୍ଲାର ପ୍ରତ୍ୟେକ ପଞ୍ଚାୟତ ନିମନ୍ତେ 50 ହଜାର ଟଙ୍କାର ବିଭିନ୍ନ ଉପାଦେୟ ପୁସ୍ତକ ଲାଇବ୍ରେରୀ ପାଇଁ ପ୍ରଦାନ କରାଯାଇଛି ।
ଏହାଛଡା ଇ-ଲାଇବ୍ରେରୀ ଓ ବିଭିନ୍ନ ବର୍ଗର ପ୍ରାୟ 80ହଜାର ଶ୍ରେଣୀର ବହି ଏଥିରେ ସାମିଲ କରାଯାଇଥିବା ସୂଚନା ମିଳିଛି । ବିକାଶରେ ଶିକ୍ଷାର ବଡ଼ ଭୂମିକା ରହିଛି । ବୌଦ୍ଧ ଜିଲ୍ଲାର ଶତକଡ଼ା 90 ଭାଗ ଜନସାଧାରଣ ଗ୍ରାମାଞ୍ଚଳରେ ବସବାସ କରୁଥିବା ବେଳେ ପାଠାଗାର ଗୁଡିକ ଶିକ୍ଷାର ବିକାଶ ଦିଗରେ ଯଥେଷ୍ଟ ସହାୟକ ହେବ । ଏହି ସହିତ ଜିଲ୍ଲାର ବିକାଶରେ ମଧ୍ୟ ସହାୟକ ହେବ ବୋଲି ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ମତ ପ୍ରକାଶ କରିଛନ୍ତି । ଭିଡିଓ କନଫରେନ୍ସିଂ ମାଧ୍ୟମରେ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ, ପିଡି,ଅତିରିକ୍ତ ଜିଲ୍ଲାପାଳ ପ୍ରମୁଖଙ୍କ ଉପସ୍ଥିତିରେ ସମସ୍ତ ପଞ୍ଚାୟତର ପାଠାଗାର ଗୁଡିକୁ ଲୋକାର୍ପଣ କରିଥିଲେ । କଣ୍ଟାମାଳ ବ୍ଲକଠାରେ ମଧ୍ୟ ବ୍ଲକ ପ୍ରଶାସନ ପକ୍ଷରୁ ଏଥିପାଇଁ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । କଣ୍ଟାମାଳ ବ୍ଲକର ସମୁଦାୟ 24 ଗୋଟି ବ୍ଲକରେ ଏସବୁ ପାଠାଗାରର ସୁଫଳ ନେବାକୁ କଣ୍ଟାମାଳ ବିଧାୟକ ମହୀଧର ରଣା ଆହ୍ବାନ ଦେଇଥିଲେ ।
ଜିଲ୍ଲାର ସମସ୍ତ 69 ପଞ୍ଚାୟତରେ ପାଠାଗାର ପ୍ରତିଷ୍ଠା ସାରା ଓଡ଼ିଶାରେ ପ୍ରଥମ । ଗ୍ରାମାଞ୍ଚଳର ମେଧାବୀ ଛାତ୍ରଛାତ୍ରୀ ଏଭଳି ପାଠାଗାର ପ୍ରତିଷ୍ଠା ଦ୍ବାରା ବେଶ ଉପକୃତ ହୋଇ ପାରିବେ ବୋଲି ସ୍ଥାନୀୟ ଅଧିବାସୀ ମତ ପ୍ରକାଶ କରିଛନ୍ତି ।
ଇଟିଭି ଭାରତ, ବୌଦ୍ଧ