ବୌଦ୍ଧ: ଜମିର ଉଚିତ୍ ଭ୍ୟାଲୁଏସନ ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ । ଖୋର୍ଦ୍ଧା-ବଲାଙ୍ଗୀର ରେଳ ପ୍ରକଳ୍ପରେ ଯାଉଥିବା ଜମିର ଉଚିତ୍ ଦାମ ଦେବା ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିବା ସହ ଦାବିପତ୍ର ଦେଲେ କ୍ଷତିଗ୍ରସ୍ତ ଲୋକେ ।
ବର୍ତ୍ତମାନର ପ୍ରଚଳିତ ଦରରେ ଜମିର ମୂଲ୍ୟ ଧାର୍ଯ୍ୟ କରିବା ଦାବିରେ ଜିଲ୍ଲାର 98ଟି ଗ୍ରାମର ଶତାଧିକ ଲୋକେ ଶୁକ୍ରବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସାମ୍ନାରେ ବିକ୍ଷୋଭ କରିଛନ୍ତି । ଏହାସହ ନୟାଗଡ ଓ ସୋନପୁର ଜିଲ୍ଲାରେ ଉପଯୁକ୍ତ ଦର ଧାର୍ଯ୍ୟ ହୋଇ ଜମି ଅଧିଗ୍ରହଣ ହେଉଥିବାବେଳେ ବୌଦ୍ଧରେ ଜାଣିଶୁଣି ପୁରୁଣା ବେଞ୍ଚ ମାର୍କ ଦରରେ କ୍ଷତିଗ୍ରସ୍ତ ଲୋକଙ୍କୁ ଟଙ୍କା ଦେବାକୁ ମସୁଧା ଚାଲିଥିବା ଅଭିଯୋଗ କରି ଏହାର ପ୍ରତିବାଦ କରିଛନ୍ତି ।
ସେହିପରି ଏହି ପ୍ରକଳ୍ପକୁ ସ୍ବାଗତ କରିବା ସହ ଦରର ପୁନର୍ବିଚାର ପାଇଁ ଜିଲ୍ଲାପାଳଙ୍କୁ ଦାବିପତ୍ର ଦେଇଛନ୍ତି । ସେପଟେ ଉପଜିଲ୍ଲାପାଳ ଦାବିପତ୍ର ଗ୍ରହଣ କରିବା ସହ ଏନେଇ ବିଚାର ବିମର୍ଷ କରାଯିବ ବୋଲି ସୂଚନା ଦେଇଛନ୍ତି ।
ସୂଚନାଅନୁସାରେ, ବୌଦ୍ଧ ଜିଲ୍ଲାରେ ଜମି ଅଧିଗ୍ରହଣ ସମସ୍ୟା ଯୋଗୁଁ ଅଟକିଛି ଖୋର୍ଦ୍ଧା ବଲାଙ୍ଗୀର ରେଳ ପ୍ରକଳ୍ପ କାର୍ଯ୍ୟ ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ