ବୌଦ୍ଧ: ଆବଶ୍ୟକ ଭିତ୍ତିଭୂମି ଅଭାବରୁ ବୌଦ୍ଧ ଜିଲ୍ଲାରେ କ୍ରୀଡା ଓ କ୍ରୀଡାବିତଙ୍କ ଉନ୍ନତି ଘଟିପାରୁ ନାହିଁ । ଜିଲ୍ଲା ସଦର ମହକୁମାକୁ ଛାଡିଦେଲେ ବ୍ଲକ ସ୍ତରରେ ଓ ପଞ୍ଚାୟତ ସ୍ତରରେ ଖେଳପଡିଆ ଓ ଆବଶ୍ୟକ ଭିତ୍ତିଭୂମିର ବିକାଶ ଠିକରେ ହୋଇ ପାରୁନାହିଁ । କ୍ରୀଡା ଓ କ୍ରୀଡାବିତଙ୍କ ଉନ୍ନତି ପାଇଁ ସରକାର ଅନେକ ଯୋଜନା କରୁଛନ୍ତି କିନ୍ତୁ ଓଡ଼ିଶାର ମଧ୍ୟ ଭାଗରେ ଥିବା ଜିଲ୍ଲାରେ ଆବଶ୍ୟକ ଭିତ୍ତିଭୂମିର ବିକାଶ ଠିକରେ ହୋଇପାରୁନଥିବା ଅଭିଯୋଗ ହୋଇଛି ।
ବୌଦ୍ଧ ଜିଲ୍ଲାରେ କ୍ରୀଡାକୁ ନେଇ ଏକ ବିରାଟ ସମ୍ଭାବନା ରହିଥିବା ବେଳେ ଆବଶ୍ୟକ ଭିତ୍ତିଭୂମିର ଘୋର ଅଭାବ ରହିଛି । ଜିଲ୍ଲା ସଦର ମହକୁମା କଚେରୀ ପଡିଆରେ ବର୍ଷ ତମାମ ମେଳା ମହୋତ୍ସବ ଚାଲୁଥିବା ବେଳେ ଜିଲ୍ଲା ଷ୍ଟାଡିୟମର ନିର୍ମାଣ ଗତ ଦୀର୍ଘ ପନ୍ଦର ବର୍ଷ ହେଲା ଚାଲିଛି ଯେ ତାହା କେବେ ସମ୍ପୂର୍ଣ୍ଣ ହେବ ସେନେଇ କୌଣସି ସୂଚନା ନାହିଁ । କେବଳ ଇନଡୋର ଷ୍ଟାଡିୟମ ଓ ସନ୍ତରଣ କେନ୍ଦ୍ର ସମ୍ପୂର୍ଣ୍ଣ ହୋଇଛି । ବୌଦ୍ଧ ଜିଲ୍ଲାର କ୍ରୀଡାବିତ ମାନେ ଫୁଟବଲ, କ୍ରିକେଟ, ସନ୍ତରଣ, ତାଇକୋଣ୍ଡ, ତୀରନ୍ଦାଜ ଭଳି ବିଭିନ୍ନ କ୍ରୀଡାରେ ରାଜ୍ୟ ତଥା ଜାତୀୟ ସ୍ତରରେ ଭାଗନେଇ ଜିଲ୍ଲା ପାଇଁ ଗୌରବ ଆଣି ପାରିଛନ୍ତି କିନ୍ତୁ ଏସବୁ ଖେଳର ଭବିଷ୍ୟତ କେବଳ ବୌଦ୍ଧ ସହର ମଧ୍ୟରେ ସୀମିତ ରହୁଥିବା ବେଳେ ଗ୍ରାମାଞ୍ଚଳର ଖେଳାଳୀଙ୍କ ଭାଗ୍ୟ ଅନ୍ଧକାରରେ ରହିଛି ।
ଜିଲ୍ଲା ସଦର ସହିତ ହରଭଙ୍ଗା, କଣ୍ଟାମାଳ ଓ ବୌଦ୍ଧ ବ୍ଲକରେ ମିନି ଷ୍ଟାଡିୟମ ପାଇଁ ଗତ 2015 ମସିହାରେ ପ୍ରତ୍ୟେକ ଷ୍ଟାଡିୟମ ପାଇଁ କୋଡିଏ ଲକ୍ଷ ଟଙ୍କାର ଆର୍ଥିକ ସହଯୋଗ ଦିଆଯାଇଥିଲେ ମଧ୍ୟ ସେସବୁର ଭାଗ୍ୟ ବଦଳି ପାରିନାହିଁ । ପରବର୍ତ୍ତୀ ସମୟରେ ପ୍ରତ୍ୟେକ ପଞ୍ଚାୟତରେ ଖେଳର ବିକାଶ ପାଇଁ ମନରେଗା ମାଧ୍ୟମରେ ଖେଳପଡିଆର ଉନ୍ନତି ପାଇଁ କୋଟି କୋଟି ଟଙ୍କା ସରକାର ଯୋଗାଇ ଦେଇଥିଲେ ମଧ୍ୟ ଏଥିରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି ।
ବିଶେଷ ଭାବରେ କଣ୍ଟାମାଳ ବ୍ଲକରେ ଏସବୁ ଦୁର୍ନୀତି ଚରମ ଶିଖରରେ ପହଞ୍ଚି ଥିବା ଚର୍ଚ୍ଚା ହେଉଛି । ଜିଲ୍ଲାରେ ବର୍ତ୍ତମାନ ବେସରକାରୀ ସ୍ତରରେ ବୌଦ୍ଧ କପ କ୍ରିକେଟ ଭଳି ରାଜ୍ୟ ସ୍ତରୀୟ ଟୁର୍ଣ୍ଣାମେଣ୍ଟ ଆୟୋଜନ କରାଯାଉଥିବା ବେଳେ ଗ୍ରାମାଞ୍ଚଳରେ କିନ୍ତୁ ଖେଳ ଓ ଖେଳାଳିଙ୍କ ଉପଯୁକ୍ତ ବିକାଶ ହୋଇପାରୁ ନଥିବା କ୍ରୀଡା ପ୍ରଶିକ୍ଷକ ଅଭିଯୋଗ କରିଛନ୍ତି । ବୌଦ୍ଧ ଜିଲ୍ଲା ପ୍ରଶାସନ ମଧ୍ୟ ବର୍ତ୍ତମାନ ଏଭଳି ଖେଳପଡିଆରେ ହୋଇଥିବା ଦୁର୍ନୀତି ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ସୂଚନା ମିଳିଛି ।
ଇଟିଭି ଭାରତ, ବୌଦ୍ଧ