ବୌଦ୍ଧ: ଅବଧି ପରେ ଅବଧି ସରୁଛି । ହେଲେ ସମ୍ପୂର୍ଣ୍ଣ ହୋଇପାରୁନାହିଁ ସେତୁ ନିର୍ମାଣ କାର୍ଯ୍ୟ । ସେପଟେ ସେତୁରେ ପୁଣି ଦେଖାଦେଇଛି ଶ୍ରମିକ ଅଶାନ୍ତି । ବକେୟା ପାଉଣାକୁ ନେଇ ସେତୁ ଫାଟକ ନିକଟରେ ଶ୍ରମିକ ଧାରଣାରେ ବସିଲେ । ସମ୍ପୂର୍ଣ୍ଣ ହୋଇପାରୁନାହିଁ ସେତୁ ନିର୍ମାଣ କାର୍ଯ୍ୟ । ଅବଧି ପରେ ଅବଧି ସରିଯାଉଥିଲେ ମଧ୍ୟ ସେତୁ ନିର୍ମାଣ କାର୍ଯ୍ୟ କେବେ ସମ୍ପୂର୍ଣ୍ଣ ହେବ ସେନେଇ ନାନା କଳ୍ପନା ପ୍ରକାଶ ଲାଗି ରହିଛି । ବୌଦ୍ଧ ଜିଲ୍ଲାର ଧଳପୁର ଠାରୁ ଆଠମଲ୍ଲିକକୁ ସଂଯୋଗ ପାଇଁ ମହାନଦୀ ଉପରେ ସେତୁ ନିର୍ମାଣ କାର୍ଯ୍ୟ ଗୁଜୁରାଟର ଠିକାସଂସ୍ଥା ଧଣଜିତ ବିଲ୍ଡକନ କାର୍ଯ୍ୟ ଆରମ୍ଭ କରିଥିଲା ।
ସେତେବେଳେ ଠିକାସଂସ୍ଥା ପକ୍ଷରୁ 2019 ସୁଦ୍ଧା ଏହି ସେତୁ କାର୍ଯ୍ୟ ସମ୍ପୂର୍ଣ୍ଣ ହେବ ବୋଲି ଦମ୍ଭୋକ୍ତି ପ୍ରକାଶ କରାଯାଇଥିଲା । କିନ୍ତୁ ତିନି ତିନି ଥର ଅବଧି ସରିସାରିଲାଣି । ହେଲେ ସମ୍ପୂର୍ଣ୍ଣ ହୋଇପାରୁନାହିଁ ଏହି ସେତୁ । ଫଳରେ ଏନେଇ ବୁଦ୍ଧିଜୀବୀ ଗଭୀର ଉଦବେଗ ପ୍ରକାଶ କରିଛନ୍ତି । ବୌଦ୍ଧ ଜିଲ୍ଲାପାଳ ଆସନ୍ତା ତିନି ଚାରି ମାସ ମଧ୍ୟରେ ସେତୁ କାର୍ଯ୍ୟ ସଂମ୍ପୂର୍ଣ୍ଣ ହେବା ନେଇ ସୂଚନା ଦେଇଛନ୍ତି ।
ସେପଟେ ସେତୁ ନିର୍ମାଣ କାର୍ଯ୍ୟ କରୁଥିବା ଶ୍ରମିକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ଦୀର୍ଘ ପାଞ୍ଚ ମାସ ହେଲା ସେମାନଙ୍କୁ ଦରମା ଦିଆଯାଇ ନଥିବା ଅଭିଯୋଗ କରି ରବିବାର ଦୀର୍ଘ ସମୟ ଧରି ଶ୍ରମିକମାନେ ସେତୁ ଫାଟକ ନିକଟରେ ଧାରଣାରେ ବସିରହିଥିଲେ ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ