ବୌଦ୍ଧ: ଭାଗ୍ୟ ସାଥ ନଦେଲେ ସବୁକିଛି ଖରାପ ହୁଏ । ସୁନା ସଂସାର ଉପରେ ଦୁର୍ଭାଗ୍ୟ ଭାରି ପଡେ । ଏଭଳି କିଛି ଘଟଣା ଘଟିଛି ବୌଦ୍ଧର 32 ବର୍ଷୀୟ ଭୀମସେନ ରଣାଙ୍କ କ୍ଷେତ୍ରରେ ।
ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକର ଲୁଣିବାହାଲ ପଞ୍ଚାୟତ ଅନ୍ତର୍ଗତ ଯୁବରାଜପୁର ଗ୍ରାମର ପିତା ଶଶୀନାଥ ରଣା ଓ ମା ରେଖା ରଣାଙ୍କ ପୁଅ ଭୀମସେନ । ଘରସଂସାର କରି ଭୀମସେନ ଭଲରେ ଦୁଇ ପୁଅଝିଅଙ୍କ ସହ ସମୟ କାଟୁଥିଲେ । କିନ୍ତୁ ପ୍ରାୟ ପାଞ୍ଚ ବର୍ଷ ତଳେ ଭୀମ କିଡନୀ ରୋଗରେ ଆକ୍ରାନ୍ତ ହୋଇ ଦୁଇ କିଡନୀ ହରାଇଲେ । ପୁଅର ଦୁଖଃ ଦେଖି ନପାରି ମା ରେଖା ନିଜ ଗୋଟିଏ କିଡନୀ ପୁଅଠାରେ ପ୍ରତ୍ୟାରୋପଣ କରାଇଥିଲେ । ହେଲେ ଏଥରବି ଭାଗ୍ୟ ସାଥ ଦେଲାନି ।
ବିଡମ୍ବାନାର ବିଷୟ ଯେ ପ୍ରତ୍ୟାରୋପଣ କରାଯାଇଥିବା କିଡନୀ ମଧ୍ୟ ତିନିବର୍ଷ ପରେ ଖରାପ ହୋଇଗଲା । ଏବେ ଜୀବନ ମରଣ ସହ ସଂଘର୍ଷ କରୁଥିବା ଭୀମ ସରକାରୀ ସହାୟତାକୁ ଅନାଇ ବସିଛନ୍ତି । କାରଣ ଯାହା କିଛି ସମ୍ପତ୍ତି ଥିଲା ସବୁ ଚିକିତ୍ସାରେ ଲାଗି ସାରିଲାଣି । ରହିବା ପାଇଁ ଭଲ ଘର ଖଣ୍ଡେ ନଥିବା ବେଳେ ଏପଟେ ଦଇବ ଦାଉ ସାଜିଛି । ଏନେଇ ନିକଟରେ ସୋମବାର ଭୀମ ଜିଲ୍ଲାପାଳଙ୍କୁ ଭେଟିବା ସହ ସାହାଯ୍ୟ ପାଇଁ ଗୁହାରୀ କରିଛନ୍ତି । ତେବେ ଦେଖିବାକୁ ବାକି ରହିଲା କେବେ ଭୀମଙ୍କୁ ସରକାରୀ ସହାୟତା ମିଳୁଛି ।
ବୌଦ୍ଧ ରୁ ସତ୍ୟ ନାରାୟଣ ପାଣି, ଈଟିଭି ଭାରତ