ବୌଦ୍ଧ: ବିଦ୍ୟାଳୟରୁ ମଧ୍ୟାହ୍ନ ଭୋଜନ ଚାଉଳ ଚୋରି । ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଅଧିନରେ ଥିବା ପ୍ରାଥମିକ ବିଦ୍ୟାଳୟରୁ ଚାଉଳ ଚୋରି ହୋଇଥିବା ନେଇ ଅଭିଯୋଗ ହୋଇଛି । ବିଦ୍ୟାଳୟର ଗୋଦାମ ଘର ତାଲା ଭାଙ୍ଗି ଦୁର୍ବୃତ୍ତମାନେ ମଧ୍ୟାହ୍ନ ଭୋଜନର ଚାଉଳ ଚୋରି କରିଛନ୍ତି ।
ତେବେ ମଙ୍ଗଳବାର ରାତିରେ ବୌଦ୍ଧ ଜିଲ୍ଲା ରାଧାନଗର ପଞ୍ଚାୟତ ସଦର ଠାରେ ଥିବା ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନର ଚାଉଳ ଚୋରି ହୋଇଥିବା ସୂଚନା ମିଳିଛି । ବିଳମ୍ବିତ ରାତିରେ ରାଧାନଗର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପାଚେରୀ ଡେଇଁ କେତେକ ଦୁର୍ବୃତ୍ତ ଗୋଦାମ ଘର ତାଲା ଭାଙ୍ଗିଥିଲେ । ଆଉ ସେଠାରେ ଥିବା ୪୮ ପ୍ୟାକେଟ୍ ଚାଉଳ ମଧ୍ୟରୁ ୧୮ ପ୍ୟାକେଟ୍ ଚାଉଳ ଚୋରି ହୋଇଥିବା ନେଇ ଅଭିଯୋଗ ହୋଇଛି । ଏ ସମ୍ପର୍କରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଓ ପରିଚାଳନା କମିଟି ପକ୍ଷରୁ ବୌଦ୍ଧ ଆଦର୍ଶ ଥାନାରେ ଅଭିଯୋଗ କରିଛନ୍ତି । ଏନେଇ ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।
ସେପଟେ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନରେ ବ୍ୟାପକ ଅନିୟମିତତା ହେଉଥିବା ନେଇ ବାରମ୍ବାର ଅଭିଯୋଗ ହୋଇ ଆସୁଛି । ଏନେଇ ଏକ ବଡ଼ ଧରଣର ରାକେଟ୍ କାମ କରୁଥିବା ବେଳେ ଏଥିରେ ବିଦ୍ୟାଳୟଠାରୁ ଆରମ୍ଭ କରି ଚାଉଳ ଯୋଗାଉଥିବା ସଂସ୍ଥା ଓ ଯୋଗାଣ ବିଭାଗର କର୍ମଚାରୀମାନେ ସାମିଲ ଥିବା ଅଭିଯୋଗ ହୋଇ ଆସୁଛି । ବୌଦ୍ଧ ଜିଲ୍ଲାର ୩ଟି ବ୍ଲକର ବିଭିନ୍ନ ସ୍ଥାନରେ ଥିବା ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନରେ ବ୍ୟାପକ ସମସ୍ୟା ତଥା ତୃଟି ରହୁଥିବା ଜିଲ୍ଲା ପ୍ରଶାସନର ସ୍ବତନ୍ତ୍ର ଅଧିକାରଙ୍କ ଚଢାଉ ସମୟରେ ଧରା ପଡୁଛି । ଜିଲ୍ଲାର ବିଭିନ୍ନ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ପାଇଁ ଆସୁଥିବା ଚାଉଳ 50 କିଲୋ ବଦଳରେ ୪୨ରୁ ୪୫ କିଲୋଗ୍ରାମ ଓଜନ ରହୁଛି ।
ଏହା ମଧ୍ୟ ପଢନ୍ତୁ-ପିଡିଏସ ଚାଉଳ ବଣ୍ଟନରେ ଅନିୟମିତତା, ଓଜନରେ ଠକେଇ ନେଇ ଖାଉଟିଙ୍କ ଅଭିଯୋଗ
ବିଦ୍ୟାଳୟଗୁଡ଼ିକୁ ଏମଡିଏମ ଚାଉଳ ଯୋଗାଣ କରୁଥିବା ସଂସ୍ଥା ଏଥିରେ ବ୍ୟାପକ ଅନିୟମିତତା କରୁଥିବା ବେଳେ ଏମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ହେଉନଥିବାରୁ ଏଭଳି ଦୁର୍ନୀତିକୁ ରୋକାଯାଇ ପାରୁନଥିବା ଅଭିଯୋଗ ହୋଇଛି । ଏନେଇ ଅଭିଯୋଗ ପରେ ଜିଲ୍ଲା ଶିକ୍ଷା ଅଧିକାରୀ ଏ ସମ୍ପର୍କରେ ତଦନ୍ତ କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବେ ବୋଲି ସୂଚନା ଦେଇଛନ୍ତି । ତେବେ ଜିଲ୍ଲାର ଅନେକ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନର ଚାଉଳ ଯୋଗାଣରେ ବ୍ୟାପକ ଅନିୟମିତତା ନେଇ ଜିଲ୍ଲା ପ୍ରଶାସନ ସ୍ବତନ୍ତ୍ର ଭାବରେ ତଦନ୍ତ କରିବାକୁ ବିଭିନ୍ନ ମହଲରେ ଦାବି ହୋଇଛି ।
ଇଟିଭି ଭାରତ, ବୌଦ୍ଧ