ବୌଦ୍ଧ: ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀଙ୍କ ବୌଦ୍ଧ ଜିଲ୍ଲାର ପାତାଳୀ ଶ୍ରୀକ୍ଷେତ୍ର ନାଏକପଡା ଗୁମ୍ଫା ପରିଦର୍ଶନ । ଏଭଳି ଏକ ପବିତ୍ର ପୀଠରେ ପ୍ରକୃତି ସହିତ ଆଧ୍ୟାତ୍ମିକ ଭାବଧାରାର ଅପୂର୍ବ ସଂଯୋଗକୁ ମନ୍ତ୍ରୀ ଅତ୍ୟନ୍ତ ଭାବବିହ୍ବଳ ହୋଇ ବର୍ଣ୍ଣନା କରିଥିଲେ । ଏହି ଅବସରରେ ଦେଖନ୍ତୁ ଈଟିଭି ଭାରତ ସହ ପର୍ଯ୍ୟଟନ ମନ୍ତ୍ରୀଙ୍କ ସ୍ବତନ୍ତ୍ର ସାକ୍ଷାତକାର ।
ରାଜ୍ୟ ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀଙ୍କ ଦୁଇ ଦିନିଆ ବୌଦ୍ଧ ଗସ୍ତ ଅବସରରେ ଜିଲ୍ଲାର ବିଭିନ୍ନ ପର୍ଯ୍ୟଟନସ୍ଥଳୀ ବୁଲି ଦେଖିଥିଲେ । ଜିଲ୍ଲାର ପର୍ଯ୍ୟଟନ ବିଭବକୁ ଦେଖି ସେ ସ୍ତମ୍ବିଭୂତ ହୋଇପଡିଥିଲେ । ମନ୍ତ୍ରୀ ଯେତେବେଳେ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅନନ୍ୟ ପାତାଳୀ କ୍ଷେତ୍ର ନାଏକପଡା ଗୁମ୍ଫାରେ ପହଞ୍ଚିଲେ ସେତେବେଳେ ସେଠାକାର ଆଧ୍ୟାତ୍ମିକତା ପରିବେଶ ଓ ପ୍ରାକୃତିକ ସୌନ୍ଦର୍ଯ୍ୟର ଅପୂର୍ବ ସଙ୍ଗମ ଦେଖି ଭାବବିହ୍ବଳ ହୋଇପଡିଥିଲେ । ସେଠାରେ ସେ ବାରମ୍ବାର ପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ସ୍ମରଣ କରିବା ସହ ଏହି ପାତାଳୀ କ୍ଷେତ୍ରର କିଭଳି ସର୍ବାଙ୍ଗୀନ ବିକାଶ ହୋଇପାରିବ ସେ ନେଇ ଚେଷ୍ଟା କରିବେ ବୋଲି ଈଟିଭି ଭାରତ ସହିତ ସ୍ବତନ୍ତ୍ର ସାକ୍ଷାତକାରରେ କହିଛନ୍ତି ।
ବୌଦ୍ଧ ଜିଲ୍ଲାରେ ପର୍ଯ୍ୟଟନ ଶିଳ୍ପର ଏକ ବିରାଟ ସମ୍ଭାବନା ରହିଥିବାରୁ ଏହାର ବିକାଶ ଦିଗରେ ସମସ୍ତ ପ୍ରକାର ସହାୟତା ଯୋଗାଇଦେବାକୁ କହିଛନ୍ତି ପର୍ଯ୍ୟଟନ ମନ୍ତ୍ରୀ । ନାଏକପଡା ପାତାଳୀ ଶ୍ରୀକ୍ଷେତ୍ରକୁ ମନ୍ତ୍ରୀଙ୍କ ଗସ୍ତ ସମୟରେ ବୌଦ୍ଧ ବିଧାୟକ ପ୍ରଦୀପ କୁମାର ଅମାତ, ପିଡି ସୂର୍ଯ୍ୟ ନାରାୟଣ ଦାସ, ହରଭଙ୍ଗା ବ୍ଲକ ଅଧ୍ୟକ୍ଷ ବିଶ୍ବଜିତ ମିଶ୍ର ଓ ଅଞ୍ଚଳର ହଜାର ହଜାର ଜଗନ୍ନାଥ ପ୍ରେମୀ ଉପସ୍ଥିତ ଥିଲେ ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ