ବୌଦ୍ଧ: ଜେଲ ଭିତରେ ଫଟୋଚିତ୍ର ଉତ୍ତୋଳନ ବାରଣ ଥିବା ସତ୍ତ୍ୱେ ଖୋଦ ଜଣେ ବିଧାୟକ ଏବଂ ଅନ୍ତେବାସୀଙ୍କ ମଧ୍ୟରେ ଆଲୋଚନା ବେଳର ଫଟୋ ସାମାଜିକ ଗଣମାଧ୍ୟମରେ ପ୍ରକାଶ ପାଇବା ବର୍ତ୍ତମାନ ସବୁଆଡେ ଚର୍ଚ୍ଚାର ବିଷୟ ହୋଇଛି । ସୂଚନା ମୁତାବକ ବୌଦ୍ଧ ଜିଲ୍ଲାର ଏକମାତ୍ର ଜେଲକୁ ଗତ କିଛି ଦିନ ତଳେ କଣ୍ଟାମାଳ ବିଧାୟକ ମହୀଧର ରଣା ଅନ୍ୟ କେତେକ ଅତିଥିଙ୍କ ସହିତ ପରିଦର୍ଶନରେ ଯାଇଥିଲେ ।
ସେଠାରେ ଜେଲର ଅନ୍ତେବାସୀଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରି ପଚାରି ବୁଝିଥିଲେ । ତେବେ ଉକ୍ତ ସମୟ ବେଳର ଫଟୋ କଣ୍ଟାମାଳ ନିର୍ବାଚନ ମଣ୍ଡଳୀରେ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରାଯାଇଥିଲା ।
ବର୍ତ୍ତମାନ ଏହାକୁ ନେଇ ସାରା ଜିଲ୍ଲାରେ ଚର୍ଚ୍ଚା ଚାଲିଛି । ଜେଲ ଭିତରକୁ ସୁରକ୍ଷା ଓ ଅନ୍ୟ କାରଣରୁ କ୍ୟାମେରା ଓ ମୋବାଇଲ ବାରଣ ଥିବା ବେଳେ ବିଧାୟକଙ୍କ ଆଲୋଚନା ବେଳର ଫଟୋ କିଭଳି ସାମାଜିକ ଗଣମାଧ୍ୟମରେ ପ୍ରକାଶ ପାଇଲା, ସେନେଇ ପ୍ରଶ୍ନ ଉଠାଇଛନ୍ତି ବୌଦ୍ଧର ପୂର୍ବତନ ବିଧାୟକ ତଥା ବରିଷ୍ଠ ଆଇନଜୀବୀ ସଚ୍ଚିଦାନନ୍ଦ ଦଲାଲ ।
ସେପଟେ ଜେଲ ଭଳି ଏକ ସୁରକ୍ଷିତ ଅଞ୍ଚଳରେ ଫଟୋଚିତ୍ର ଉତ୍ତୋଳନ ସମୟରେ କିଭଳି ଜେଲ କର୍ତ୍ତୃପକ୍ଷ ଜାଣିପାରିଲେ ନାହିଁ ସେନେଇ ଉଠିଛି ପ୍ରଶ୍ନବାଚୀ । ଏସମ୍ପର୍କରେ ଖୋଦ କଣ୍ଟାମାଳ ବିଧାୟକ ସ୍ପଷ୍ଟୀକରଣ ରଖିବା ସହିତ ଏହା ତାଙ୍କ ଜ୍ଞାତସାରରେ ହୋଇନଥିବା ସୂଚନା ଦେଇଥିବାରୁ ଏନେଇ ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଦାବି ହୋଇଛି । ତେବେ ଏଭଳି ଘଟଣା ଚର୍ଚ୍ଚାକୁ ଆସିବା ପରେ ଉକ୍ତ ଫଟୋକୁ ସାମାଜିକ ଗଣମାଧ୍ୟମର ସାଇଡରୁ ହଟାଇ ଦିଆଯାଇଛି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ