ବୌଦ୍ଧ: ଜିଲ୍ଲାରେ ଚାଲିଛି ବେଆଇନ ପଥର ବ୍ଲାଷ୍ଟିଂ । ଆଉ ସେ ପଥର ମାଫିଆଙ୍କ ଦୌରାତ୍ମ୍ୟରେ ଅତିଷ୍ଠ ସାଧାରଣ ଲୋକ । ବୌଦ୍ଧ ଜିଲ୍ଲାର ହରଭଙ୍ଗା, ବୌଦ୍ଧ ଓ କଣ୍ଟାମାଳ ତହସିଲ ଅଧିନରେ ରହିଛି ପଥର କ୍ବାରି । ହରଭଙ୍ଗା ତହସିଲର ଖରଭୂଇଁ ଅଞ୍ଚଳରେ ଥିବା ଷ୍ଟୋନ କ୍ରସର ସମସ୍ୟାକୁ ନେଇ ଅଞ୍ଚଳବାସୀଙ୍କ ଦୀର୍ଘ ଦିନର ଦାବି ପରେ ପ୍ରଶାସନ ଏଗୁଡ଼ିକୁ ବନ୍ଦ ପାଇଁ ନିର୍ଦ୍ଦେଶ ଦେଇଥିଲେ । ବର୍ତ୍ତମାନ ସେହିଭଳି ପରିସ୍ଥିତି ଗୋଛାପଡା ପଞ୍ଚାୟତରେ ଥିବା ଷ୍ଟୋନ କ୍ରସର ପାଇଁ ସୃଷ୍ଟି ହୋଇଛି ।
ଗୋଛାପଡା ପଞ୍ଚାୟତ ଉଡବିଲକା ଅଞ୍ଚଳରେ ଥିବା ପାଞ୍ଚଟି ଷ୍ଟୋନ କ୍ରସର ଯୋଗୁଁ ଜଙ୍ଗଲ ସମ୍ପଦ ନଷ୍ଟ ହେବା ସହିତ ପରିବେଶ ପ୍ରଦୂଷଣ ହେବାରେ ଲାଗିଛି । ଏଥିପାଇଁ କଡାକଡି ନିୟମ ରହିଥିଲେ ମଧ୍ୟ ପଥର ମାଫିଆ ଏସବୁ ଆଇନକୁ ଖୋଲାଖୋଲି ଉଲ୍ଲଙ୍ଘନ କରୁଥିବା ଅଭିଯୋଗ ହୋଇଛି । ପଥର ଗୁଣ୍ଡ ଯୋଗୁଁ ଅଞ୍ଚଳରେ ସ୍ବାସ୍ଥ୍ୟ ସମସ୍ୟା ଠାରୁ ଆରମ୍ଭ କରି ଚାଷବାସ ଉପରେ ଗଭୀର ପ୍ରଭାବ ପଡୁଛି ।
ଏପଟେ କ୍ରସର ମାଲିକଙ୍କ ରାଜନୈତିକ ଲିଙ୍କ ଓ ଗୁଣ୍ଡାରାଜ ଯୋଗୁଁ ଅଞ୍ଚଳବାସୀ ଏମାନଙ୍କ ବିରୋଧରେ ମୁହଁ ଖୋଲିବାକୁ ଭୟ କରୁଥିବା କୁହାଯାଇଛି । ତୁରନ୍ତ ଏଦିଗରେ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଇ ବିହିତ ପଦକ୍ଷେପ ଗ୍ରହଣ କରିବାକୁ ବୁଦ୍ଧିଜୀବୀ ଦାବି କରିଛନ୍ତି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ