ବୌଦ୍ଧ: ଚୋରା ବେଆଇନ ଗଞ୍ଜେଇ ଚାଲାଣର ପ୍ରମୁଖ ମାର୍ଗ ପାଲଟିଛି ବୌଦ୍ଧ ଜିଲ୍ଲା । ଦିନକୁ ଦିନ ଗଞ୍ଜେଇ ଚୋରା ଚାଲାଣ ବୃଦ୍ଧି ପାଉଥିବା ବେଳେ ଗତକାଲି(ଶନିବାର) ବୌଦ୍ଧ ପୋଲିସ ଏକ ଆନ୍ତରାଜ୍ୟ ଚୋରା ଗଞ୍ଜେଇ ଚାଲାଣକୁ ଧରିବାରେ ସକ୍ଷମ ହୋଇଛି । ପୂର୍ବରୁ ପରିବା ଟ୍ରକ, ନଡ଼ିଆ କତା ଟ୍ରକରେ ଗଞ୍ଜେଇ ଚୋରା ଚାଲାଣ ହେଉଥିଲା ବେଳେ ଏବେ ଏକ ଘରୋଇ ବସରେ କପଡା ଗଣ୍ଠଲି ମଧ୍ୟରେ ଗଞ୍ଜେଇ ଚୋରା କାରବାର ହେଉଥିବା ଜଣା ପଡ଼ିଛି ।
ବୌଦ୍ଧ କନ୍ଧମାଳ ସୀମାନ୍ତରୁ ଏହି ସବୁଜ ଜହରର ଚେର ଓଡିଶା ବ୍ୟତୀତ ରାଜ୍ୟ ବାହାରର ଅନେକ ରାଜ୍ୟକୁ ଚାଲାଣ ହେଉଥିବା ସୂଚନା ମିଳିଛି । ଗତକାଲି ମନମୁଣ୍ଡା ଅଞ୍ଚଳରୁ ପଶ୍ଚିମ ବଙ୍ଗକୁ ଏକ ବୋଲେରୋ ପିକଅପ ଭ୍ୟାନରେ ଦେଢ କ୍ବିଣ୍ଟାଲରୁ ଉର୍ଦ୍ଧ୍ବ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ବେଳେ ବୌଦ୍ଧ ପୋଲିସ ଏହାକୁ ଧରିବାରେ ସଫଳ ହୋଇଛି । ପଶ୍ଚିମ ବଙ୍ଗର ଉକ୍ତ ଗାଡ଼ିରେ ଓଡ଼ିଶାର ନମ୍ବର ଲଗାଇ ଏହି ଚୋରା ଚାଲାଣ ହେଉଥିବା ବେଳେ ଏନେଇ ଦୁଇ ଜଣଙ୍କୁ ବୌଦ୍ଧ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ସେହିପରି ଗତକାଲି କନ୍ଧମାଳରୁ ଆସିଥିବା ଏକ ଘରୋଇ ବସରେ କପଡା ଗଣ୍ଠଲି ମଧ୍ୟରେ ଦୁଇ ପ୍ୟାକେଟ ବେଆଇନ ଗଞ୍ଜେଇ ବୌଦ୍ଧ ବସଷ୍ଟାଣ୍ଡ ଠାରେ ବୌଦ୍ଧ ପୋଲିସ ଜବତ କରିଥିବା ଜଣାପଡିଛି ।
ସେପଟେ ବାଉଁଶୁଣୀ ଥାନା ଅନ୍ତର୍ଗତ ସାହାଜପାଲ ଛକ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଜଣେ ବୃଦ୍ଧ ମୃତ୍ୟୁ ବରଣ କରିଛନ୍ତି । ବୃଦ୍ଧଙ୍କ ମୃତ୍ୟୁ ଯୋଗୁଁ ସ୍ଥାନୀୟ ଲୋକେ ଉପଯୁକ୍ତ କ୍ଷତି ପୂରଣ ଦାବି କରି ୫୭ ନମ୍ବର ଜାତୀୟ ରାଜପଥ ଅବରୋଧ କରିଥିଲେ । ବାଉଁଶୁଣୀ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାଶୁଝା ପରେ ରାସ୍ତାରୁ ହଟିଥିଲେ ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ