ବୌଦ୍ଧ: ଦୁଇ ଦିନିଆ ବୌଦ୍ଧ ଜିଲ୍ଲା ଗସ୍ତରେ ରାଜ୍ୟର ବରିଷ୍ଠ ପ୍ରଶାସନିକ ଅଧିକାରୀ । ପ୍ରଥମ ଦିନରେ ବରିଷ୍ଠ ଅଧିକାରୀମାନେ ଜଳସେଚନ, ଆବାସ, ପାନୀୟଜଳ, ମିଶନ ଶକ୍ତି, ଜୀବିକା ମିଶନର ହିତାଧିକାରୀଙ୍କ ସହିତ ଆଲୋଚନା କରିଥିଲେ ଜିଲ୍ଲା ପର୍ଯ୍ୟବେକ୍ଷକ ଦାୟିତ୍ବରେ ଥିବା ପ୍ରଶାସନିକ ଅଧିକାରୀ ଗୁହା ପୁନମ ତାପସ କୁମାର ।
ଏହି ଗସ୍ତ ସମୟରେ ଗୁହା ପୁନମଙ୍କ ସହିତ ଜିଲ୍ଲାପାଳ, ପିଡି, ହରଭଙ୍ଗା ବିଡ଼ିଓ ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀଙ୍କ ସମେତ ସ୍ଥାନୀୟ ସରପଞ୍ଚ ରହିଥିଲେ । ଏହି ଅବସରରେ ଗୁହା ପୁନମ ନନ୍ଦନବନର ଯାଯାବର ପ୍ରକଳ୍ପ ଠାରେ ଖୋଲାଯାଇଥିବା ମହିଳା ଗୋଷ୍ଠୀଙ୍କ ବିଭିନ୍ନ ଷ୍ଟଲକୁ ବୁଲି ଦେଖିଥିଲେ ଓ ସ୍ଥାନୀୟ ବାନ୍ଧକଳା ସହିତ ବୌଦ୍ଧର ତିଆସି ବୁଟ, ଭଜାଡାଲି, ମାଣ୍ଡିଆ ପ୍ରସ୍ତୁତ ସାମଗ୍ରୀର ବେଶ ପ୍ରଶଂସା କରିଥିଲେ । ଏନେଇ ସ୍ଥାନୀୟ ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ମହିଳାମାନେ ବେଶ ଆନନ୍ଦ ପ୍ରକାଶ କରିଛନ୍ତି । ତେବେ ଗୁହା ପୁନମ ଗସ୍ତ ସମୟରେ ଜନୈକା ମହିଳାଙ୍କ ଅତ୍ୟନ୍ତ ଦୟନୀୟ ଅବସ୍ଥାକୁ ଦେଖି ତୁରନ୍ତ ଉକ୍ତ ଗରିବ ମହିଳାଙ୍କୁ ସହାୟତା ଯୋଗାଇ ଦେବାକୁ ବ୍ଲକ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ପୁନମଙ୍କ ଏହି କାର୍ଯ୍ୟ ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି ।
ଏନେଇ ସ୍ବୟଂ ସହାୟକ ଗୋଷ୍ଠୀର ଜଣେ ମହିଳା କହିଛନ୍ତି," ରାଜ୍ୟର ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କ ବୌଦ୍ଧ ଗସ୍ତକୁ ନେଇ ଆମେ ଭାରି ଖୁସି ଅଛୁ । ନନ୍ଦନବନ ପ୍ରକଳ୍ପର ସମୀକ୍ଷା କରିବା ସହ ଜଳସେଚନ, ଆବାସ, ମିଶନ ଶକ୍ତି, ପାନୀୟଜଳ, ରାସନ, ଜୀବିକା ମିଶନ ସହିତ ଜଡ଼ିତ ବିଭିନ୍ନ ହିତାଧିକାରୀଙ୍କ ସହିତ ସିଧାସଳଖ ଆଲୋଚନା କରିଥିଲେ । ବାନ୍ଧକଳା ଓ ସ୍ଥାନୀୟ ଉତ୍ପାଦିତ ସାମଗ୍ରୀ ଦେଖି ବିଭୋର ହୋଇଥିଲେ । ଆମର ଆହୁରୁ ଉନ୍ନତି ହେବ ବୋଲି ଆମେ ଆଶା କରୁଛୁ ।"
ଇଟିଭି ଭାରତ, ବୌଦ୍ଧ