ବୌଦ୍ଧ: ଚୈତ୍ର ପୂର୍ଣ୍ଣିମା ଅବସରରେ ପାଳିତ ହୋଇଯାଇଛି ପ୍ରଭୁ ହନୁମାନଙ୍କ ଜନ୍ମ ଜୟନ୍ତୀ ଉତ୍ସବ। ବୌଦ୍ଧ ଜିଲ୍ଲାର ପ୍ରାୟ ଶହେ ବର୍ଷର ମହାନଦୀ ଗର୍ଭସ୍ଥ ସିଦ୍ଧ ହନୁମାନଙ୍କ ପୀଠରେ ନିଆରା ଢଙ୍ଗରେ ଚୈତ୍ର ପୂର୍ଣ୍ଣିମା ସହ ହନୁମାନଙ୍କ ଜନ୍ମୋତ୍ସବ ପାଳନ ହୋଇଥିଲା ।
ବୌଦ୍ଧ ଜିଲ୍ଲାର ପର୍ଯ୍ୟଟନ ମାନଚିତ୍ରରେ ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଥିବା ହନୁମାନଙ୍କ ଏହି ପୀଠରେ ଶନିବାର ବିଳମ୍ବିତ ରାତି ପର୍ଯ୍ୟନ୍ତ ସ୍ବତନ୍ତ୍ର ପୂଜାର୍ଚ୍ଚନାର ବ୍ୟବସ୍ଥା କରାଯାଇଥିଲା । ଚୈତ୍ର ପୂର୍ଣ୍ଣିମା ଅବସରରେ ପବନପୁତ୍ରଙ୍କ ଜନ୍ମ ଜୟନ୍ତୀ ମହାଆଡମ୍ବରରେ ପାଳନ କରାଯାଇଛି। ପାରମ୍ପିରକ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା ଚାଲିଥିଲା।
ହନୁମାନଙ୍କୁ ଦର୍ଶନ କରିବା ପାଇଁ ହଜାର ହଜାର ଭକ୍ତଙ୍କ ଭିଡ଼ ଜମିଥିବା ଦେଖିବାକୁ ମିଳିଥିଲା । କୋରୋନା କଟକଣା ଯୋଗୁଁ ଗତ ଦୁଇ ବର୍ଷ ହେଲା ପୀଠରେ ସମସ୍ତ କାର୍ଯ୍ୟକ୍ରମ ବାତିଲ କରାଯାଇଥିଲା । କଟକଣା ହ୍ରାସ ହେବା ପରେ ଚଳିତ ବର୍ଷ ଆଡମ୍ବର ସହକାରେ ପାଳନ ହୋଇଥିଲା । ଯାହା ଫଳରେ ଶ୍ରଦ୍ଧାଳୁମାନେ ବେଶ ଆନନ୍ଦ ପ୍ରକାଶ କରିଛନ୍ତି । ମହାନଦୀର ସୁରକ୍ଷା ତଥା ପରିବେଶ ସ୍ବଚ୍ଛ ପାଇଁ ମଧ୍ୟ ସ୍ବତନ୍ତ୍ର ଭାବେ ହୋମ ଯଜ୍ଞର ଆୟୋଜନ କରାଯାଇଥିଲା।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ