ବୌଦ୍ଧ: ଜିଲ୍ଲାରେ ସରକାରୀ ଯୋଜନାର ଚରମ ଅବ୍ୟବସ୍ଥାର ଘୃଣ୍ଯ ଚିତ୍ର ଆଜି ପୁଣିଥରେ ଦେଖିବାକୁ ମିଳିଛି । ଗୋଟିଏ ଦୁର୍ଘଟଣାରେ ଗୁରୁତର ଗର୍ଭବତୀ ମହିଳାଙ୍କୁ ଆମ୍ବୁଲାନ୍ସ ନମିଳିବା ଓ ସେଇ ଗର୍ଭବତୀ ମହିଳାଙ୍କ ମୃତଶରୀରର ବ୍ୟବଚ୍ଛେଦ ପରେ ମହାପ୍ରୟାଣ ଗାଡି ନମିଳିବା ପରି ଅତ୍ୟନ୍ତ ଲଜ୍ୟାକର ଘଟଣା ରାଜ୍ୟରେ ଘଟିଛି ।
ସୂଚନା ମୁତାବକ, ନୟାଗଡ ଜିଲ୍ଲାର ଜାନକାଝୁଲା ଗାଁର ସନ୍ତୋଷ ପ୍ରଧାନ ପତ୍ନୀ ଜୋସ୍ନାରାଣୀ ପ୍ରଧାନଙ୍କ ସହ ଶ୍ବଶୁର ଘର କନ୍ଧମାଳ ଜିଲ୍ଲାର ଅରଚାଙ୍ଗି ଗାଁକୁ ମୋଟରସାଇକେଲ ଯୋଗେ ଯାଇଥିଲେ । ଜୋସ୍ନାରାଣୀ ଆସନ୍ନ ପ୍ରସବା ହେତୁ ଫେରିବା ବେଳେ ବାଟରେ ଧିରେ ଧୀରେ ସନ୍ତୋଷ ବୌଦ୍ଧ ଜିଲ୍ଲାର ମାଧପୁର ଦେଇ ଯାଉଥିଲେ । ବୌଦ୍ଧ, କନ୍ଧମାଳ ଓ ନୟାଗଡ ସୀମାନ୍ତ ବଦଲା ଗାଁ ଠାରେ ଉଭୟେ ଗାଡିରୁ ଓହ୍ଲାଇ ରାସ୍ତା କଡରେ ଠିଆ ହୋଇଥିଲେ । ଏହି ସମୟରେ ଏକ ଦ୍ରୁତ ଗତିରେ ଆସୁଥିବା ଟ୍ରକ ଜୋସ୍ନାରାଣୀଙ୍କୁ ଧକ୍କା ଦେଇଥିଲା । ଫଳରେ ଗୁରୁତର ଜୋସ୍ନାଙ୍କୁ ବଞ୍ଚାଇବାକୁ ସ୍ବାମୀ ରାଜପଥରେ ଯାଉଥିବା ଗାଡି ମାନଙ୍କୁ ଅନେକ ନେହୁରା ହେଲେ ଓ ଆମ୍ବୁଲାନ୍ସ କୁ ବାରମ୍ବାର ଫୋନ କଲେ । କିନ୍ତୁ କୌଣସି ଫଳ ମିଳିଲାନି। ଏପଟେ ଜୋସ୍ନାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କ ମୃତ୍ୟୁ ଘଟିଥିଲା ।
ଏହାପରେ ସନ୍ତୋଷ ମୃତ ପତ୍ନୀଙ୍କ ମୃତ ଶରୀରକୁ ଏକ ଅଟୋ ଯୋଗେ ବୌଦ୍ଧ ଆଣି ବ୍ୟବଚ୍ଛେଦ କଲେ । କିନ୍ତୁ ଏତିକିରେ ଦୁଃଖ ସରିଲାନାହିଁ ।ବ୍ୟବଛେଦର ଦୀର୍ଘ ସମୟ ପରେ ମହାପରାୟଣ ଗାଡି ମଧ୍ୟ ଖଣ୍ଡେ ମିଳିଲା ନାହିଁ । ଏହାପରେ ସେ ବାଧ୍ୟ ହୋଇ ଲାଇଟ ନଥିବା ଅଟୋରେ ମୃତଦେହକୁ ନେଇଥିଲେ।
ତେବେ ଏପରି ସରକାରୀ ଯୋଜନାର ଅବ୍ୟବସ୍ଥାକୁ ନେଇ ସମ୍ପର୍କୀୟ ମାନେ ଏବେ ସରକାରଙ୍କ ଯୋଜନା ପ୍ରତି ଆଙ୍ଗୁଳି ଉଠାଇଛନ୍ତି । ସ୍ଥାନୀୟ ଅଞ୍ଚଳରେ ଜଣେ ଅସହାୟ ଆଦିବାସୀ ପରିବାରର ଏଭଳି ଅଘଟଣ ପାଇଁ ଦାୟୀ କିଏ ହେବ ବୋଲି ପ୍ରଶ୍ନ ଉଠିଛି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ