ବୌଦ୍ଧ: ଜଙ୍ଗଲରେ ନିଆଁ ଲଗାଉଥିବା ଅଭିଯୋଗରେ ଚାରି ଜଣଙ୍କୁ ଗିରଫ କଲା ଜଙ୍ଗଲ ବିଭାଗ । ପୂର୍ବରୁ ମଧ୍ୟ ଅଭୟାରଣ୍ୟରେ ନିଆଁ ଲ ଗାଇ ଦୁଇ ଜଣ ଗିରଫ ହୋଇଥିଲେ ।
ଜନସଚେତନତା ଅଭାବରୁ ଜଙ୍ଗଲରେ ନିଆଁ ଲଗାଇ ଦେଉଛନ୍ତି ଲୋକ । ଆଉ ଏଭଳି ଲୋକଙ୍କ ବିରୋଧରେ ଏଣିକି ଦୃଢ କାର୍ଯ୍ୟାନୁଷ୍ଠାନ ନେବ ଜଙ୍ଗଲ ବିଭାଗ । ଏହି ଧାରାରେ ଶନିବାର ବୌଦ୍ଧ ବନ ବିଭାଗ ଚାରି ଜଣ ସନ୍ଦିଗ୍ଧ ଲୋକଙ୍କୁ ଗିରଫ କରିଛି ।
ଏଠାରେ ସୂଚନାଯୋଗ୍ୟ ଯେ, ଗତ 2 ତାରିଖରୁ ବୌଦ୍ଧ ଜଙ୍ଗଲ ବିଭାଗର ବିଭିନ୍ନ ବନାଞ୍ଚଳରେ ନିଆଁ ଲାଗିଥିଲା । ତେବେ ଜଙ୍ଗଲ ବିଭାଗ ଓ ସ୍ବେଚ୍ଛାସେବୀଙ୍କ ସହଯୋଗରେ ନିଆଁକୁ ଆୟତ୍ତ କରାଯାଇଥିଲା । ତେବେ ପୁଣିଥରେ ବିଭିନ୍ନ ଜଙ୍ଗଲରେ ଲୋକ ନିଆଁଲଗାଇ ଦେଉଛନ୍ତି ।
ଏହାର ପ୍ରମୁଖ କାରଣ ଜନସଚେତନତା ଅଭାବ ସାଙ୍ଗକୁ ମହୁଲ ଗୋଟା ଓ କେନ୍ଦୁପତ୍ର ତୋଳା ବୋଲି ଜଣାପଡିଛି । ଏପରିକି କେନ୍ଦୁପତ୍ର ବିଭାଗର ଭୂମିକା ମଧ୍ୟ ସନ୍ଦେହ ଜନକ ରହିଛି । ଶନିବାର ବୌଦ୍ଧ ବନଖଣ୍ଡ ଅନ୍ତର୍ଗତ ପୁରୁଣାକଟକ ବନାଞ୍ଚଳର ମୁଣ୍ଡେଶ୍ବର ସଂରକ୍ଷିତ ଜଙ୍ଗଲରେ ବନ ବିଭାଗ ପାଟ୍ରୋଲିଂ କରୁଥିବା ବେଳେ ଚାରି ଜଣଙ୍କୁ ଜଙ୍ଗଲରେ ନିଆଁଲଗାଇବା ଅଭିଯୋଗରେ ଗିରଫ କରାଯାଇଥିବା ସୂଚନା ମିଳିଛି ।
ଜଙ୍ଗଲ ଅଞ୍ଚଳରେ ଏଣିକି ସନ୍ଦିଗ୍ଧ ଅବସ୍ଥାରେ ବୁଲୁଥିବା ବ୍ୟକ୍ତି ଙ୍କୁ ଜଙ୍ଗଲ ବିଭାଗ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ବନଖଣ୍ଡ ଅଧିକାରୀ ସୂଚନା ଦେଇଛନ୍ତି । ସେପଟେ ଶନିବାର ବୌଦ୍ଧ ବନାଞ୍ଚଳର ଗଣ୍ଡିସରର ଜଙ୍ଗଲରେ ମହିଳା ଓ ପୁରୁଷ ବନାଗ୍ନିକୁ ରୋକିବାକୁ ଅଣ୍ଟା ଭିଡିଛନ୍ତି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ