ବୌଦ୍ଧ: ଏକଦା ହଜାର ହଜାର ଲୋକଙ୍କ ପେନସନ ସମସ୍ୟା ଦୂର କରିବାରେ ସହାୟତା କରୁଥିଲେ । ଆଜି ନିଜ ପେନସନ ସମସ୍ୟା ନେଇ ପ୍ରଶାସନର ଦ୍ବାରସ୍ଥ ହୋଇଛନ୍ତି । ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ପ୍ରଥମଥର ପାଇଁ ଜିଲ୍ଲାସ୍ତରୀୟ ପେନସନ ଅଦାଲତ ଅନୁଷ୍ଠିତ ହୋଇଥିବାବେଳେ ଜଣେ ଅବସରପ୍ରାପ୍ତ କର୍ମଚାରୀ ପେନସନ୍ ଟଙ୍କା ପାଇଁ ଜିଲ୍ଲାପାଳଙ୍କ ସହାୟତା ଲୋଡ଼ିଥିଲେ ।
ବୌଦ୍ଧ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜିଲ୍ଲାସ୍ତରୀୟ ପେନସନ ଅଦାଲତରେ ପେନସନ ସମ୍ବନ୍ଧୀୟ ସମୁଦାୟ ୩୭ ଗୋଟି ଅଭିଯୋଗ ପହଞ୍ଚିଥିଲା । ସେଥିମଧ୍ୟରୁ ୧୫ଟି ସମସ୍ୟାର ସମାଧାନ ହୋଇଥିବାବେଳେ, ଦୀର୍ଘ ବର୍ଷରୁ ପେନସନକୁନେଇ ଲାଗି ରହିଥିବା ସମସ୍ୟାର ତୁରନ୍ତ ସମାଧାନ ନେଇ ଜିଲ୍ଲାପାଳ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହି ପେନସନ୍ ଅଦାଲତରେ ବୌଦ୍ଧ ଜିଲ୍ଲାର କଣ୍ଟାମାଳ ଓ ହରଭଙ୍ଗା ବ୍ଲକର ବିଡ଼ିଓ ତଥା ଅନ୍ୟ ବିଭାଗର ଦାୟିତ୍ୱରେ ରହିଆସିଥିବା ଅବସରପ୍ରାପ୍ତ ଅଧିକାରୀ ନୀଳକଣ୍ଠ ବେହେରା ନିଜ ପେନସନର ସମସ୍ୟା ସମାଧାନ ପାଇଁ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଥିଲେ।
ଏହା ମଧ୍ୟ ପଢ଼ନ୍ତୁ: ହିତାଧିକାରୀଙ୍କୁ ମିଳୁନି ପ୍ରାପ୍ୟ, ଜିଲ୍ଲାପାଳଙ୍କୁ ଭେଟିଲେ ପୂର୍ବତନ ଓ୍ବାର୍ଡ ମେମ୍ବର
ଏନେଇ ସେ କହିଛନ୍ତି, "୨୦୦୩ ମସିହାରେ କାର୍ଯ୍ୟରୁ ଅବସରର ନେଇଥିଲି । କିନ୍ତୁ ଆଜି ପର୍ଯ୍ୟନ୍ତ ପେନସନ ପାଉନଥିଲି । ବାରମ୍ବାର ଅଭିଯୋଗ ସତ୍ତ୍ବେ କୌଣସି ସୁଫଳ ମିଳିନଥିଲା ।" ତେବେ ଜିଲ୍ଲା ସ୍ତରୀୟ ଅଦାଲତ ପାଇଁ ଦୀର୍ଘ ବର୍ଷରୁ ଲାଗି ରହିଥିବା ପେନସନ ସମସ୍ୟା ଦୂରୀକରଣରେ ସହାୟକ ହେବ ବୋଲି ଅବସରପ୍ରାପ୍ତ କର୍ମଚାରୀ ଆଶା ପ୍ରକାଶ କରିଛନ୍ତି ।
ଇଟିଭି ଭାରତ, ବୌଦ୍ଧ