ବୌଦ୍ଧ: ବହୁ ପ୍ରତିକ୍ଷିତ ଖୋର୍ଦ୍ଧା ବଲାଙ୍ଗୀର ରେଳପଥର ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି । ଏହି ରେଳପଥର ସର୍ବାଧିକ ପଥ ଅତିକ୍ରମ କରୁଥିବା ବୌଦ୍ଧ ଜିଲ୍ଲାର ବର୍ତ୍ତମାନ ହରଭଙ୍ଗା ବ୍ଲକରେ ମଧ୍ୟ ନିର୍ମାଣ କାର୍ଯ୍ୟ ଜୋରସୋରରେ ଚାଲିଛି । ବ୍ଲକର ସରସରା ଠାରେ ଜିଲ୍ଲାର ମୁଖ୍ୟ ଷ୍ଟେସନ ନିର୍ମାଣ ପାଇଁ ବ୍ୟବସ୍ଥା କରାଯାଇଛି । କିନ୍ତୁ ରେଳ ବିଭାଗର ତୃଟିପୂର୍ଣ୍ଣ ନିର୍ମାଣ ଶୈଳୀ ଯୋଗୁଁ ବର୍ତ୍ତମାନ ଶହ ଶହ ଏକର ଚାଷଜମି ପଡିଆ ପାଲଟିବାକୁ ଯାଉଥିବା ଅଭିଯୋଗ ହୋଇଛି । ବର୍ଷା ପରେ ପ୍ରାକୃତିକ ଜଳପ୍ରବାହକୁ ଅବରୋଧ କରାଯିବା ସହିତ ଆବଶ୍ୟକ ଅନୁସାରେ ଜଳ ନିଷ୍କାସନ ତଥା ରାସ୍ତା ନିର୍ମାଣ ହୋଇନଥିବାରୁ ବିଭିନ୍ନ ସମସ୍ୟା ସୃଷ୍ଟି ହୋଇଛି । ଚାଷ ଜମି ଗୁଡିକ ପାଣିରେ ବୁଡି ରହିଛି । ଯାହାକୁ ନେଇ ଅଞ୍ଚଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ।
ସରସରା ଠାରୁ ପୁରୁଣା କଟକ ପର୍ଯ୍ୟନ୍ତ ନିର୍ମାଣ ହେଉଥିବା ରେଳ ରାସ୍ତାର ଅନେକ ସ୍ଥାନରେ ଉପଯୁକ୍ତ ଭାବରେ ଏହାର ସର୍ଭେ ହୋଇ ନଥିବା ଅଭିଯୋଗ ହୋଇଛି । ଫଳରେ ଚଳିତ ବର୍ଷ ରେଳପଥ ନିର୍ମାଣ ଆରମ୍ଭ ହୋଇଥିବା ବେଳେ ବର୍ଷା ଯୋଗୁଁ ପ୍ରସ୍ତାବିତ ବୌଦ୍ଧ ରେଳ ଷ୍ଟେସନ ଅଞ୍ଚଳରେ ଆଠ ଫୁଟର ବନ୍ୟାଜଳ ପ୍ରବାହିତ ହୋଇଥିଲା । ଜିଲ୍ଲାର ମୁଖ୍ୟ ରେଳ ଷ୍ଟେସନରେ ଯଦି ଏଭଳି ଅବସ୍ଥା ରୁହେ ତେବେ ଆଗାମୀ ଦିନରେ ପରିସ୍ଥିତି କ'ଣ ହେବ ତାହା ସହଜରେ ଅନୁମେୟ ।
ଏହାଛଡା ସରସରା ଠାରୁ ପୁରୁଣା କଟକ ପର୍ଯ୍ୟନ୍ତ ପ୍ରାୟ ତିରିଶ କିଲୋମିଟର ରାସ୍ତା ମଧ୍ୟରେ ପିପଲକଟା,କେଲାକଟା, ବୀରନରସିଂହପୁର, ଲୁଣିବାହାଲ ଭଳି ସ୍ଥାନରେ ଚଳିତ ବର୍ଷା ଯୋଗୁଁ ରେଳ ବିଭାଗର ସମସ୍ତ ତୃଟି ଜଳ ଜଳ ହୋଇ ବାରି ହୋଇଥିଲା । କାରଣ ଉକ୍ତ ଅଞ୍ଚଳରେ ନିର୍ମାଣ ହେଉଥିବା ରେଳ ରାସ୍ତାର ଅନେକ ସ୍ଥାନରେ ପ୍ରାକୃତିକ ଜଳପ୍ରବାହକୁ ସମ୍ପୂର୍ଣ୍ଣ ଅବରୋଧ କରିଦିଆଯାଇଛି । ନିର୍ମାଣ ହୋଇଥିବା କଲଭର୍ଟ ଦେଇ ଆଦୌ ଜଳ ନିଷ୍କାସନ ହୋଇ ନପାରିବାରୁ ବର୍ତ୍ତମାନ ସେସବୁ ଅଞ୍ଚଳ ଜଳମଗ୍ନ ହୋଇଛି । ଚାଷଜମିରେ ବାଲି ମାଡ଼ି ଯାଇଛି । ରେଳପଥ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବା ପୂର୍ବରୁ ଏନେଇ ସ୍ବତନ୍ତ୍ର ଦୃଷ୍ଟି ଦେବାକୁ ଦାବି ହୋଇଛି ।
କାରଣ କେବଳ ଚାଷ ଜମିରେ ବାଲିଚର ନୁହଁ ବରଂ ନିର୍ମାଣାଧୀନ ପ୍ରକଳ୍ପର ଅନେକ ସ୍ଥାନରେ ଛୋଟ ଛୋଟ ଘାଇ ସୃଷ୍ଟି ହୋଇ ମାଟି ଧୋଇ ନେଇଛି । ଏହାଛଡା ଅନେକ ଗ୍ରାମକୁ ସଂଯୋଗ କରୁଥିବା ରାସ୍ତାକୁ ନେଇ ମଧ୍ୟ ସ୍ଥାନୀୟ ଗ୍ରାମବାସୀମାନେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି । ରେଳପଥ ନିର୍ମାଣ ପାଇଁ ଲୋକେ ଯେତିକି ଆନନ୍ଦିତ ହେଉଥିଲେ ତାହା ଏବେ ଦୁଃଖରେ ପରିଣତ ହୋଇଛି । କିଛି ଅଞ୍ଚଳରେ କାର୍ଯ୍ୟ ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହେବା ନେଇ ଆଶଙ୍କା ସୃଷ୍ଟି ହୋଇଛି । ଏ ସମ୍ପର୍କରେ ସ୍ଥାନୀୟ ଗ୍ରାମବାସୀମାନେ ଗଭୀର ଅସନ୍ତୋଷ ପ୍ରକାଶ କରିବା ସହିତ ଏଥି ପ୍ରତି ପଦକ୍ଷେପ ନନେଲେ ଆଗାମୀ ଦିନରେ ଆନ୍ଦୋଳନ କରିବା ନେଇ ସଜବାଜ ଆରମ୍ଭ କରିଛନ୍ତି । ତୁରନ୍ତ ଏନେଇ ଜିଲ୍ଲା ପ୍ରଶାସନ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଦାବି ହୋଇଛି ।
ଇଟିଭି ଭାରତ, ବୌଦ୍ଧ