ବୌଦ୍ଧ: ସମସ୍ୟା ଘେରରେ ଅନ୍ନଦାତା । ଜିଲ୍ଲାରେ 80ଭାଗ ଲୋକ ଚାଷ ଉପରେ ନିର୍ଭରଶୀଳ । ମଣ୍ଡିରେ ଦଲାଲଙ୍କ ମନମାନିରେ ହନ୍ତସନ୍ତ ଦେଉଛନ୍ତି ଚାଷୀ । ମଣ୍ଡିକୁ ଦଲାଲ ଏକ ପ୍ରକାର କବଜାରେ କରି ନେଇଛନ୍ତି । ଫଳରେ ଧାନ ବିକ୍ରି କରି ନପାରି ସମସ୍ୟାର ସମ୍ମୁଖୀନ ହେଉଛି ଚାଷୀ । ସମସ୍ୟାର ସମାଧାନ ପାଇଁ ଆଗାମୀ ଦିନରେ ଚାଷୀ ଏକ ବିରାଟ ଆନ୍ଦୋଳନ କିରିବା ନେଇ ସୂଚନା ମିଳିଛି ।
ବର୍ଷକର ପରିଶ୍ରମ ପରେ ଅମଳ କରିଥିବା ଫସଲକୁ ବିକ୍ରି କରି ଦୁଇ ପଇସା ରୋଜଗାର କରିବାକୁ ସ୍ୱପ୍ନ ଦେଖିଥାଏ ଚାଷୀ । ଦେଲେ ଧାନ ମଣ୍ଡିରେ ବେପାରୀ ଓ ଦଲାଲଙ୍କ ଦାଦାଗିରି ଚାଷୀଙ୍କ ସ୍ୱପ୍ନକୁ ଚୁରମାର କରିଛି । ଚାଷୀଙ୍କୁ ବିଭିନ୍ନ ଦିଗରୁ ସବୁବେଳେ ଶୋଷଣର ଶିକାର ହେବାକୁ ପଡୁଛି । ମଣ୍ଡିରେ ଅବ୍ୟବସ୍ଥାକୁ ନେଇ ବୁଧବାର ବିଜୟ ଦିବସ ଅବସର କିଷାନ ସଂଘ ପକ୍ଷରୁ ଏକ ବିରାଟ ଚାଷୀ ସମାବେଶ ଆୟୋଜିତ ହୋଇଛି ।
ଜିଲ୍ଲାର ଖୁଣ୍ଟବନ୍ଧ ଠାରେ ଏନଫୋର୍ସମେଣ୍ଟ ସ୍କାର୍ଡର ଚଢାଉରେ ଜଣେ ପୂର୍ବତନ ସରପଞ୍ଚଙ୍କ ଧାନ ଜବତ ହୋଇଥିବା ବେଳେ ଅନ୍ୟ ପଟରେ ମୁଣ୍ଡିପଦର ମଣ୍ଡିରୁ ଚାଷୀଙ୍କ ଧାନ ଚୋରି ଭଳି ଗୁରୁତର ଅଭିଯୋଗ ହୋଇଛି । । ସେପଟେ ବଘିଆପଡା ସମବାୟ ସମିତିରେ ଆଟଜମି ଓ ବନ୍ଧକୁ ଚାଷ ଜମି ଦର୍ଶାଇ ଧାନବିକ୍ରି ଅଭିଯୋଗରେ କେବଳ ସମବାୟ ସଂପାଦକଙ୍କୁ ନିଲମ୍ବିତ କରାଯାଇଥିବା ବେଳେ ଏଥିରେ ସମ୍ପୃକ୍ତ ଆରଆଇ ଓ କୃଷି କ୍ଷେତ୍ର କର୍ମଚାରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି । ତେବେ ଚାଷୀମାନଙ୍କ ପ୍ରତି ଏପରି ସମସ୍ୟା ଲାଗି ରହିଥିବାରୁ ସମଧାନ ପାଇଁ ଆଗାମି ଦିନରେ ଚାଷୀ ଆନ୍ଦୋଳନକୁ ଓହ୍ଲାଇବାକୁ ଚେତାବନୀ ଦେଇଛନ୍ତି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ