ବୌଦ୍ଧ: ଧାନକ୍ରୟ ସମସ୍ୟାକୁ ନେଇ ରାଜରାସ୍ତାକୁ ଅବରୋଧ କଲେ ଚାଷୀ । ଟୋକନ ପାଇବାର ଦୀର୍ଘ ଦିନ ପରେ ମଧ୍ୟ ଧାନ ବିକ୍ରି ହୋଇ ନପାରିବାରୁ ତଥା ଏ ସମ୍ପର୍କରେ ବିଭାଗୀୟ ଅଧିକାରୀଙ୍କୁ ବାରମ୍ବାର ଗୁହାରୀ ପରେ କୌଣସି ସୁଫଳ ନମିଳିବାରୁ ଉତ୍ୟକ୍ତ ଚାଷୀ ସୋମବାର ରାସ୍ତାରୋକ କରିଛନ୍ତି ।
ବୌଦ୍ଧ ଜିଲ୍ଲାର ସରସରା ସେବା ସମବାୟ ସମିତିର ଅଧିନରେ ଥିବା ବନ୍ଧାପଥର ଉପ ମଣ୍ଡିରେ ସେମାନେ ଏ ସମ୍ପର୍କରେ ବାରମ୍ବାର ବିଭାଗୀୟ ଅଧିକାରୀଙ୍କୁ ଗୁହାରୀ କରି ବିଫଳ ହୋଇଥିବା ଅଭିଯୋଗ କରିଛନ୍ତି । ଦୀର୍ଘ ଦିନରୁ ଅଞ୍ଚଳର ଚାଷୀ ଟୋକନ ପାଇ ମଧ୍ୟ ଧାନ ବିକ୍ରି କରିପାରୁ ନଥିବାରୁ ସୋମବାର ବାଧ୍ୟ ହୋଇ ବୌଦ୍ଧ ବଘିଆପଡା ରାସ୍ତାର ବନ୍ଧାପଥର ଛକ ଠାରେ ଧାନବସ୍ତା ରଖି ରାସ୍ତା ରୋକ କରିଥିଲେ । ଧାନ ନଉଠିବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରଖିବେ ବୋଲି ଚେତାବନୀ ଦେଇଥିଲେ । ସେପଟେ ଘଟଣାସ୍ଥଳରେ ବୌଦ୍ଧ ଯୋଗାଣ ଅଧିକାରୀ ବିଷ୍ଣୁ ପ୍ରସାଦ ପ୍ରଧାନ ପହଞ୍ଚି ଉତ୍ୟକ୍ତ ଚାଷୀଙ୍କୁ ବୁଝାଶୁଝା ପରେ ରାସ୍ତାରୋକ ହଟିଥିଲା ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ