ବୌଦ୍ଧ: ଜିଲ୍ଲାର ଖୁଣ୍ଟବନ୍ଧ ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ଜଳସେଚନ ବିଭାଗର କେନାଲ ପୋତି ହୋଇଯାଇଥିଲେ ମଧ୍ୟ ସରକାର ଏଥିପ୍ରତି ଦୃଷ୍ଟି ଦେଉନାହାନ୍ତି । ଫଳରେ ଚାଷ ଜମିକୁ ପାଣି ମିଳିବା କଷ୍ଟକର ହୋଇପଡୁଛି ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି ।
ଜଳସେଚନ ବିଭାଗର ଅପାରଗତା ଯୋଗୁଁ ଚାଷୀଙ୍କ ଜମିକୁ ଦୀର୍ଘ ଦିନ ହେଲା ଜଳସେଚନ ହୋଇପାରୁନାହିଁ । ସେପଟେ 5 ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଡ୍ରେନ ଭାଙ୍ଗି ଯାଇ ପୋତି ହୋଇଯିବାରୁ ଏହି ସମସ୍ୟା ଆହୁରି ବଢି ଯାଇଛି । ଜଳସେଚନ ବିଭାଗର ଅପାରଗତା ଶଗଡା ଡ୍ୟାମଠାରୁ ଆରମ୍ଭ କରି ଅନେକ କେନାଲରେ ସ୍ପଷ୍ଟ ରୂପେ ଦୃଶ୍ୟମାନ ହେଉଛି ।
ଜିଲ୍ଲାର ଚାଷୀ ଜଳସେଚନକୁ ନେଇ ବାରମ୍ବାର ବିଭାଗୀୟ ଉଦାସୀନତାକୁ ଦାୟୀ କରିଛନ୍ତି । ବର୍ତ୍ତମାନ ଖୁଣ୍ଟବନ୍ଧ ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ଜଳସେଚନ ବିଭାଗର କେନାଲ ପୋତି ହୋଇଯାଇଥିଲେ ମଧ୍ୟ ଜଳସେଚନ ବିଭାଗ ଏଥିପ୍ରତି ଦୃଷ୍ଟି ଦେଇନାହିଁ । ଦୀର୍ଘ ଦିନ ହେଲା ଏଭଳି ସମସ୍ୟା ସୃଷ୍ଟି ହୋଇଥିଲେ ମଧ୍ୟ ବିଭାଗ କୌଣସି ପଦକ୍ଷେପ ଗ୍ରହଣ କରିନାହିଁ ।
ସେପଟେ ଉକ୍ତ କେନାଲଠାରୁ ସିଏଫସି ଗ୍ରାଣ୍ଟରେ ନିର୍ମିତ କଙ୍କ୍ରିଟ ଡ୍ରେନ ମଧ୍ୟ ଭାଙ୍ଗି ଯାଇ ପୋତିହୋଇ ପଡିଯିବାରୁ ତଳ ମୁଣ୍ଡକୁ ଆଉ ପାଣି ଯାଇପାରୁ ନଥିବା ଚାଷୀମାନେ ଅଭିଯୋଗ କରିଛନ୍ତି । ତେବେ ସରକାର କୋଟି କୋଟି ଟଙ୍କା ଚାଷର ଉନ୍ନତି ପାଇଁ ଯୋଗାଇ ଦେଉଥିଲେ ମଧ୍ୟ ବିଭାଗୀୟ ଉଦାସୀନତା ଓ ଦୁର୍ନୀତି ଯୋଗୁଁ ଏସବୁ କାର୍ଯ୍ୟର ସୁଫଳ ମିଳୁନଥିବା ଚର୍ଚ୍ଚା ହୋଇଛି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ