ବୌଦ୍ଧ: ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ ପାଇଁ ସହର ଠାରୁ ପୁରପଲ୍ଲୀରେ ସବୁଆଡେ ଉତ୍ସବ ଆନନ୍ଦର ମାହୋଲ । ବିଭିନ୍ନ ହାଟ ବଜାରରେ ନୂଆ ଧାନ ଠାରୁ ନୂଆ ଲୁଗାପଟାର ସମ୍ଭାରରେ ଚଳଚଞ୍ଚଳ ଗାଁ ଗହଳି । କିନ୍ତୁ ଏଭଳି ମଧ୍ୟ କିଛି ମଣିଷ ରହିଛନ୍ତି, ଯେଉଁମାନଙ୍କ ପାଇଁ ଏହି ଉତ୍ସବର କୌଣସି ମହତ୍ତ୍ଵ ନାହିଁ ।
ବୌଦ୍ଧ ଜିଲ୍ଲା ସଦର ମହକୁମାର ଗରିବ ଗୋବିନ୍ଦଙ୍କ ପରିବାର ନିଜର ବାସସ୍ଥାନ ନଥିବାରୁ ଦୀର୍ଘ ପଚାଶ ବର୍ଷରୁ ଉର୍ଦ୍ଧ୍ବ ସମୟ ହେଲା ବାର ଦୁଆର ହୋଇ ପର ପିଣ୍ଡାରେ ନଚେତ ଗଛତଳେ ଆଶ୍ରୟ ନେଉଛନ୍ତି । ପୁଅ ମାନସିକ ଭିନ୍ନକ୍ଷମ ହୋଇ କୁଆଡେ ବୁଲୁଥିବା ବେଳେ ଖୋଦ ଗୋବିନ୍ଦ ମଧ୍ୟ ଦିବ୍ୟାଙ୍ଗ ହୋଇ ସୁଦ୍ଧା ସେହି ତାଲିକାରେ ଚିହ୍ନଟ ହୋଇ ପାରି ନାହାନ୍ତି । ପରିବାରର ସହାରା କହିଲେ କିଛି ସରକାରୀ ଚାଉଳ ଓ ଗୋଟିଏ ଛେଳି । ଏହି ପରିବାର ପାଇଁ ଆବାସ, ବିଦ୍ୟୁତ ଭଳି ଯୋଜନା ସାତ ସପନ ସଦୃଶ ହୋଇ ରହିଛି । ଏନେଇ ଏମାନେ ବାରମ୍ବାର ଗୁହାରି କଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ ।
ଏହି ପରିବାର ଭଳି ଜିଲ୍ଲାରେ ଅନେକ ମଣିଷ ରହିଛନ୍ତି ଯେଉଁମାନଙ୍କ ପାଇଁ ନୂଆଁଖାଇ ନୂଆ ସ୍ବପ୍ନ ସଦୃଶ ହୋଇ ରହିଛି । ଯେଉଁଠି ସକାଳ ପାହିଲେ ପେଟ ପାଇଁ ମୁଠାଏ ଅନ୍ନ ଓ ଦେହକୁ ଖଣ୍ଡେ ଲୁଗାର ଚିନ୍ତା, ସେଠାରେ ପିଠାପଣାର ମହମହ ବାସ୍ନା ଓ ନୂଆଖାଇର ଆନନ୍ଦ ବା ପାଇବେ କୋଉଠୁ ?
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ