ବୌଦ୍ଧ: ପାନୀୟଜଳର ଉତ୍କଟ ସମସ୍ୟା ଯୋଗୁଁ ତଥା ବାରମ୍ବାର ଗୁହାରି ପରେ କେହି କର୍ଣ୍ଣପାତ ନକରିବାରୁ ଉତ୍ୟକ୍ତ ଗ୍ରାମବାସୀ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଗରା ବାଲଟି ରଖି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।
ଗାଁରେ ଥିବା ତିନୋଟି ନଳକୂପ ଅଚଳପ୍ରାୟ ଅବସ୍ଥାରେ ଥିବାବେଳେ ଓଭରହେଡ ଟାଙ୍କିରୁ ପାଣି ଆଜି ପର୍ଯ୍ୟନ୍ତ ଯୋଗାଣ ହୋଇପାରିଲା ନାହିଁ । ଫଳରେ ଲୋକେ ପ୍ରାୟ ପାଞ୍ଚ କିଲୋମିଟର ଦୂର ନାଳରୁ ପାଣି ଆଣି ବ୍ୟବହାର କରୁଛନ୍ତି ।
ଶେଷରେ ଆଜି(ବୁଧବାର) ଉତ୍ୟକ୍ତ ବାମଣ୍ଡା ଗ୍ରାମବାସୀ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିବା ସହ ଗରା ବାଲଟି ଧରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ବାମଣ୍ଡା ଭଳି ହରଭଙ୍ଗା ବ୍ଲକର କୁଶଙ୍ଗ, ମହାଲିକପଡା,ତଳଗାଁ, ଆଢେଣୀଗଡ ଭଳି ଉପାନ୍ତ ପଞ୍ଚାୟତର ଅନେକ ଗାଁରେ ପାନୀୟଜଳର ଉତ୍କଟ ସମସ୍ୟା ଲାଗି ରହୁଥିବା ବାରମ୍ବାର ଅଭିଯୋଗ ହୋଇଆସିଛି । ତୁରନ୍ତ ଏଦିଗରେ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ଦାବି ହୋଇଛି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ