ବୌଦ୍ଧ : ସମ୍ବିଧାନ ପ୍ରଣେତା ଭାରତ ରତ୍ନ ଡ଼. ଭୀମରାଓ ବାବା ସାହେବ ଆମ୍ବେଦକରଙ୍କ 130 ତମ ଜନ୍ମ ଜୟନ୍ତୀ ବୌଦ୍ଧ ଜିଲ୍ଲାରେ ପାଳନ କରାଯାଇଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲା ନ୍ୟାୟାଳୟ ସମ୍ମୁଖରେ ଥିବା ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର, ଅତିରିକ୍ତ ଜିଲ୍ଲାପାଳ ଏନସି ଜ୍ୟୋତିରଞ୍ଜନ ନାଏକ, ଉପଜିଲ୍ଲାପାଳ ଅଶ୍ବିନୀ ମେହେର, ସହକାରୀ ଜିଲ୍ଲାପାଳ ଅବିନାଶ ପାଣ୍ଡିଆ ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ତଥା ବୁଦ୍ଧିଜୀବୀ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ସେହି ମହାନ ଆତ୍ମାଙ୍କୁ ସ୍ମରଣ କରିଥିଲେ ।
ସେହିପରି ବୌଦ୍ଧ ଜିଲ୍ଲା ଦଳିତ ଅଧିକାର ମଞ୍ଚ ପକ୍ଷରୁ ବୁଟୁପାଲି ଠାରେ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଏହି ସ୍ମୃତି ଚାରଣ କାର୍ଯ୍ୟକ୍ରମରେ ବାବା ସାହେବ ଆମ୍ବେଦକରଙ୍କ ସ୍ମୃତିଚାରଣ ସମେତ ଜିଲ୍ଲା ଦଳିତ ଅଧିକାର ମଞ୍ଚର ସଭାପତି ଗଙ୍ଗାଧର ହଂସଙ୍କ ଅକାଳ ବିୟୋଗରେ ଶୋକ ବ୍ୟକ୍ତ କରାଯାଇଥିଲା । ଏହି ଅବସରରେ ଜିଲ୍ଲାରେ ଆମ୍ବେଦକର ଭବନ ନଥିବାରୁ ଗଭୀର ଉଦବେଗ ପ୍ରକାଶ ପାଇବା ସହ ଆମ୍ବେଦକର ଭବନ ପ୍ରତିଷ୍ଠା ପାଇଁ ଦାବି କରାଯାଇଥିଲା ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ