ବୌଦ୍ଧ: କନ୍ଧ ସଂପ୍ରଦାୟରେ ଅନେକ ନିଆରା ପରମ୍ପରା ପ୍ରଚଳିତ । ସେଥିମଧ୍ୟରୁ ଢେଲ ପୂଜା ଅନ୍ୟତମ । ପ୍ରକୃତି, ପାଣି, ପବନ ଓ ମାଟି ମାଆକୁ ବେଶୀ ଭଲ ପାଉଥିବା ଏହି ଆଦିବାସୀ ଜନଜାତି ବଣ ଜଙ୍ଗଲ ଅଞ୍ଚଳରେ ବସବାସ କରନ୍ତି । ଫଳରେ ପରୋକ୍ଷରେ ଜଙ୍ଗଲ ସୁରକ୍ଷାର ବଡ ଦାୟିତ୍ୱ ନିଭାଇଥାଆନ୍ତି । ଦୁଇ ଦିନ ଧରି ଅନୁଷ୍ଠିତ ଢେଲପୂଜା କୃଷି କାର୍ଯ୍ୟ ଆରମ୍ଭ ହେବା ପୂର୍ବରୁ ଏକ ଶୁଭ ଲଗ୍ନରେ ପାଳନ କରାଯାଏ ।
ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ ଏଭଳି ଢେଲ ପୂଜା ଅନୁଷ୍ଠିତ ହେଉଥିବା ବେଳେ ଲୁଣିବାହାଲ ପଞ୍ଚାୟତ ଅନ୍ତର୍ଗତ କନ୍ଧ ଅଧ୍ୟୁଷିତ ଗ୍ରାମ ଖଲିଆପାଲି ଠାରେ ସୋମବାର ଓ ମଙ୍ଗଳବାର ଦୁଇ ଦିନ ଧରି ଏହି ପାରମ୍ପରିକ ଯାତ୍ରା ଅନୁଷ୍ଠିତ ହୋଇଛି ।ପ୍ରଥମ ଦିନ ନିକଟସ୍ଥ ପୀଢରେ ହଳଦିଆଶେଣୀ, ବରାଳଦେବୀ, ପୀତାବଳି,ଲକ୍ଷ୍ମୀ ବୁଢୀ ପ୍ରମୁଖ ଦେବୀଙ୍କୁ ଆବାହନ କରି ବରଣ କରାଯାଇଥିଲା । ଆଜି ଦ୍ବିତୀୟ ଦିନରେ ଢୋଲ, ମହୁରୀ, ନିଷାଣ ବାଦ୍ୟରେ ମାଟି ମାଆକୁ ପୂଜାର୍ଚ୍ଚନା କରାଯାଇଥିଲା ।
ଏଥିପାଇଁ ସ୍ବତନ୍ତ୍ର ଭାବରେ ମଦ ରନ୍ଧା ଯାଇ ଉକ୍ତ ମଦରେ ଅଖଣ୍ଡ ଦୀପ ପ୍ରଜ୍ବଳନ ସହିତ ଦେବୀଙ୍କୁ ଅର୍ପଣ ପରେ ତାକୁ ପ୍ରସାଦ ଭାବରେ ସେବନ କରାଯାଏ । ପୂର୍ବରୁ ଥିବା ମହାବଳି ପ୍ରଥାକୁ ଉଚ୍ଛେଦ କରି କେବଳ ବୋଦା, କୁକୁଡ଼ା ବଳି ଦିଆଯାଇଥାଏ । ପ୍ରତ୍ୟେକ ତିନି ବର୍ଷରେ ଥରେ ଏଭଳି ପାରମ୍ପରିକ ଢେଲ ପୂଜା ଅନୁଷ୍ଠିତ ହୋଇଥାଏ ।