ବୌଦ୍ଧ: ଜିଲ୍ଲାର ଦୁଇଟି ଥାନା ଅଞ୍ଚଳରୁ ଦୁଇ ଦିନରେ ସାମ୍ନାକୁ ଆସିଛି ତିନୋଟି ଭିନ୍ନ ଭିନ୍ନ ଘଟଣା । ଯାହା ବର୍ତ୍ତମାନ ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି । ବୌଦ୍ଧ ଜିଲ୍ଲାର ମନମୁଣ୍ଡା ଥାନା ଅନ୍ତର୍ଗତ କୁଣ୍ଢିପଦର ଗ୍ରାମରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ବୃଦ୍ଧଙ୍କୁ 6ଜଣ ବ୍ୟକ୍ତି ମରଣାନ୍ତକ ଆକ୍ରମଣ କରିଥିଲେ । ପରେ ତନ୍ମଧ୍ୟରୁ ଦୁଇ ଜଣ ଆକ୍ରମଣକାରୀ ବୃଦ୍ଧଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିବାକୁ କହି ବାଇକ ଯୋଗେ ଏକ ନାଳ କଡରେ ଫୋପାଡ଼ି ଦେଇଥିଲେ । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଏନେଇ ବୁଧବାର ମନମୁଣ୍ଡା ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।
ସେହିପରି ଗୁରୁବାର ଦିନ ଉକ୍ତ ମନମୁଣ୍ଡା ଥାନା ଅନ୍ତର୍ଗତ ଝିଙ୍କେରପାଲି ଗ୍ରାମର ଜଣେ ଭିନ୍ନକ୍ଷମ ବ୍ୟକ୍ତି ଆର୍ଥିକ ଅନଟନ ଯୋଗୁଁ ବକେୟା ଋଣ ପାଇଁ ଆତ୍ମହତ୍ୟା କରିଥିଲେ । ତେବେ ଏଭଳି ସମୟରେ ମନମୁଣ୍ଡା ଥାନା ଅଧିକାରୀ ଉକ୍ତ ଗରିବ ମୃତକଙ୍କ ପରିବାରକୁ ସମସ୍ତ ପ୍ରକାର ସହାୟତା ସହ ଆର୍ଥିକ ସହଯୋଗ କରି ମାନବିକତାର ପରିଚୟ ଦେଇଥିଲେ । ଯାହାକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି । ସେପଟେ କଣ୍ଟାମାଳ ଥାନାରେ ଆଜି ଏକ ନାଟକୀୟ ଢଙ୍ଗରେ ଏକ ନାଲି ରଙ୍ଗର ଦାମି କାରରୁ କୋଡିଏ କେଜି ଗଞ୍ଜେଇ ଜବତ କରାଯାଇଛି । ତେବେ ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥାହେଲା କାରର ସମ୍ମୁଖ କାଚରେ ସରକାରୀ ଗଣମାଧ୍ୟମର ଲୋଗୋ ଲାଗିଥିବା ବେଳେ ଗାଡି ଚାଳକ ଚମ୍ପଟ ମାରିଥିବା ଜଣାପଡିଛି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ